ଓଡ଼ିଶାରେ ଆଳୁ ସଙ୍କଟ, ମମତାଙ୍କୁ ଚିଠି ଲେଖିଲେ ନବୀନ

ଓଏଲ୍ ବ୍ୟୁରୋ: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଦର। ଗୁରୁବାର ହଠାତ୍ ଆଳୁ କିଲୋ ପିଛା ଦର ୫୦ ଛୁଇଁଛି। ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା। କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି। ଓଡ଼ିଶାରେ ଆଳୁ ସଙ୍କଟକୁ ଦୂର କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ସେ ଚିଠି ଲେଖିଛନ୍ତି।
ଚିଠି ମାଧ୍ୟମରେ ସେ ଉଲ୍ଲେଖ କରିଛନ୍ତି ଯେ, ବୃଦ୍ଧି ପାଉଥିବା ଆଳୁ ଦର ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ଓଡ଼ିଶା-ପଶ୍ଚିମବଙ୍ଗର ସୁଦୃଢ଼ ସମ୍ପର୍କ ରହିଛି। ଓଡ଼ିଶା-ପଶ୍ଚିମବଙ୍ଗର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ। ତେଣୁ ଓଡ଼ିଶାର ଆଳୁ ସଙ୍କଟ ସମୟରେ ଯୋଗାଣ ବ୍ୟବସ୍ଥାକୁ ସାଧାରଣ ଭାବରେ କରିବାକୁ ସେ ପଶ୍ଚିମବଙ୍ଗ ସରକାରଙ୍କ ସହାୟତା ଲୋଡିଛନ୍ତି।
ଅନ୍ୟପଟେ, ପଶ୍ଚିମବଙ୍ଗରୁ ହଠାତ୍ ଆମଦାନୀ ବନ୍ଦ ହୋଇଥିବାରୁ କଟକ ମାଲଗୋଦାମ, ଛତ୍ରବଜାର ଓ ଭୁବନେଶ୍ବର କୁବେରପୁରୀର ଆଳୁ ଗଦି ଖାଲି ହୋଇଯାଇଛି। ଖୁଚୁରା ବଜାରରେ ଯେତିକି ଆଳୁ ମହଜୁଦ ଅଛି ତାହା ସମୁଦ୍ରକୁ ଶଙ୍ଖେ। ଏଥିପାଇଁ ଦୁଇ ଦିନ ହେଲା ଆଳୁ ଦର ବୃଦ୍ଧି ପାଇଛି ବୋଲି କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି। ସେହିପରି ସୀମାରେ ଅଟକିଥିବା ଆଳୁ ଟ୍ରକ ପଶ୍ଚିମବଙ୍ଗ ଫେରିଯାଇଛି। ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ ଆସିପାରୁନଥିବା ସୂଚନା ରହିଛି। ସୀମାବର୍ତ୍ତୀ ୪ଟି ରାସ୍ତାରେ ଅଟକିଥିବା ଶତାଧିକ ଟ୍ରକ୍ ପଶ୍ଚିମବଙ୍ଗ ଫେରିଯାଇଛି।
ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳିନାହିଁ। ଏହି ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି। ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା। ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହା ସମୀକ୍ଷା କରାଯାଉଛି। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।