Odisha Link
Bridging the Missing Links in Odisha

ଓଡ଼ିଶାରେ ପ୍ରବେଶ ପାଇଁ ମିଳିଲାନି ଅନୁମତି, ପଶ୍ଚିମବଙ୍ଗକୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଦର। ଗୁରୁବାର ହଠାତ୍‌ ଆଳୁ କିଲୋ ପିଛା ଦର ୫୦ ଛୁଇଁଛି। ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା। କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି। ପଶ୍ଚିମବଙ୍ଗରୁ ହଠାତ୍ ଆମଦାନୀ ବନ୍ଦ ହୋଇଥିବାରୁ କଟକ ମାଲଗୋଦାମ, ଛତ୍ରବଜାର ଓ ଭୁବନେଶ୍ବର କୁବେରପୁରୀର ଆଳୁ ଗଦି ଖାଲି ହୋଇଯାଇଛି। ଖୁଚୁରା ବଜାରରେ ଯେତିକି ଆଳୁ ମହଜୁଦ ଅଛି ତାହା ସମୁଦ୍ରକୁ ଶଙ୍ଖେ। ଏଥିପାଇଁ ଦୁଇ ଦିନ ହେଲା ଆଳୁ ଦର ବୃଦ୍ଧି ପାଇଛି ବୋଲି କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି। ସେହିପରି ସୀମାରେ ଅଟକିଥିବା ଆଳୁ ଟ୍ରକ ପଶ୍ଚିମବଙ୍ଗ ଫେରିଯାଇଛି। ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ ଆସିପାରୁନଥିବା ସୂଚନା ରହିଛି। ସୀମାବର୍ତ୍ତୀ ୪ଟି ରାସ୍ତାରେ ଅଟକିଥିବା ଶତାଧିକ ଟ୍ରକ୍ ପଶ୍ଚିମବଙ୍ଗ ଫେରିଯାଇଛି।

ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ରହିଛି ଶହ ଶହ ଆଳୁ ଟ୍ରକ। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳିନାହିଁ। ଏହି ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି। ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା। ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହା ସମୀକ୍ଷା କରାଯାଉଛି। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.