Odisha Link
Bridging the Missing Links in Odisha

“ଭାରତ ଶାନ୍ତି ଚାହୁଁଥିଲା, କିନ୍ତୁ ପାକିସ୍ତାନ ଅବିଶ୍ବାସ କଲା”

ଓଏଲ୍‌ ବ୍ୟୁରୋ: ଆଜି ସାରା ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ। ଭାରତ ପାଇଁ ଏହା ସ୍ମରଣୀୟ ତଥା ଐତିହାସିକ ଦିନ। କାରଣ ୨୫ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇ ସାରା ବିଶ୍ବରେ ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲେ ଭାରତୀୟ ସେନା। ଆଜି ସାରା ଦେଶ କାର୍ଗିଲ ବିଜୟ ଦିବସର ରୌପ୍ୟ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚି ଯୁଦ୍ଧରେ ନିଜ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରେ ସହିଦ ଯବାନଙ୍କ ପରିବାରଙ୍କୁ ଭେଟିଥିଲେ ମୋଦି।

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରାସରେ ପହଁଞ୍ଚି ପାକିସ୍ତାନକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାରତର ଶାନ୍ତିର ପ୍ରଚେଷ୍ଟାର ଉତ୍ତର ପାକିସ୍ତାନ ଅବିଶ୍ବାସର ସହିତ ଦେଇଥିଲା। ଏଥିସହିତ ମୋଦି ଆତଙ୍କବାଦକୁ ପାକିସ୍ତାନ ସହଯୋଗ କରୁଥିବା କହିଛନ୍ତି। ଏଥିସହିତ ଯୁଦ୍ଧରେ ପ୍ରାଣ ଦେଇଥିବା ବୀର ଯବାନଙ୍କୁ ସ୍ମରଣ କରିଥିଲେ। ପରେ ଶିଙ୍କୁନ ଲା ଟନେଲର ଉଦଘାଟନ କରିଥିଲେ।

କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜିର ଦିନରେ ସତ୍ୟ ଆଗରେ ଆତଙ୍କବାଦର ପରାଜୟ ହୋଇଥିଲା। ଭାରତ ସେହି ସମୟରେ ଶାନ୍ତି ପାଇଁ ପ୍ରୟାସ କରୁଥିଲା, ପ୍ରତିବଦଳରେ ପାକିସ୍ତାନ ପୁଣିଥରେ ତାର ଅବିଶ୍ବାସର ଚେହେରା ଦେଖାଇଥିଲା। ହେଲେ ସତ୍ୟର ସାମ୍ନାରେ ଅସତ୍ୟ ଓ ଆତଙ୍କବାଦର ପରାଜୟ ହୋଇଥିଲା। ଅତୀତରେ ପାକିସ୍ତାନ ଯେବେ ବି କିଛି ଖରାପ କାମର ପ୍ରୟାସ କରିଛି ତାର ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ଯବାନ ବୋଲି ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି, ଦୁର୍ଭାଗ୍ୟର ବିଷୟ ପାକିସ୍ତାନ ନିଜର ଇତିହାସରୁ କିଛି ବି ଶିଖିଲାନି। ଆତଙ୍କବାଦର ସାହାଯ୍ୟରେ ଛାୟା ଯୁଦ୍ଧ ମାଧ୍ୟମରେ ନିଜକୁ ନିଜେ ପ୍ରାସଙ୍ଗିକ ରଖିବା ପାଇଁ ପ୍ରୟାସ ଜାରି ରଖିଛି। ଏଥିସହିତ ଦ୍ରାସରେ ଆତଙ୍କବାଦକୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି, ଆଜି ମୁଁ ସେହି ଜାଗାରୁ କହୁଛି, ଯେଉଁଠୁ ଆତଙ୍କର ସର୍ଦ୍ଦାର ମାନଙ୍କୁ ମୋ କଥା ସିଧା ଶୁଣିବାକୁ ମିଳୁଥିବ। କହିରଖୁଛି ଆତଙ୍କବାଦକୁ ଆମ ଦେଶ କେବେ ବି ବରଦାସ୍ତ କରି ପାରିବ ନାହିଁ। ଆତଙ୍କବାଦର ମୂଳ ଉତ୍ପୋଟନ କରିଦେବୁ। ଶତ୍ରୁଙ୍କୁ ଯେକୌଣସି ସମୟରେ ବି ମୁହଁତୋଡ଼ ଜବାବ ଦେବାକୁ ଆମ ଦେଶ ପ୍ରସ୍ତୁତ। ଲଦାଖ ହେଉ ବା ଜମ୍ମୁ କଶ୍ମୀରର ବିକାଶକୁ ପ୍ରତିରୋଧ କରିବାକୁ ଚେଷ୍ଟା କଲେ ତାର ପରିଣାମ ଭୟଙ୍କର ହେବ ବୋଲି ପିଏମ୍‌ ମୋଦି ନିଜ ଅଭିଭାଷଣରେ କହିଛନ୍ତି।

Leave A Reply

Your email address will not be published.