Odisha Link
Bridging the Missing Links in Odisha

ଆଜି ଐତିହାସିକ କାର୍ଗିଲ ବିଜୟ ଦିବସ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଅବସରରେ କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତିରେ କାର୍ଗିଲ ଯୁଦ୍ଧ ସ୍ମାରକୀରେ ସହିଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସୂଚନା ଅନୁସାରେ, ୧୯୯୯ ଜୁଲାଇ ୨୬ର ବିଜୟକୁ ମନେ ପକାଉଛି ସାରା ଦେଶ। ‘ଅପରେସନ ବିଜୟ’ ଅଭିଯାନରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ। ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହା ଆଜିର ଦିନରେ ଭାରତ ସଫଳତାର ସହ ପାକିସ୍ତାନୀ ସୈନ୍ୟମାନଙ୍କ ହାତରୁ ଭାରତର ଏହି ସର୍ବୋଚ୍ଚ ଘାଟିକୁ ନିଜ ଅକ୍ତିଆରକୁ ଆଣିଥିଲା।

ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କାଶ୍ମୀରର କାର୍ଗିଲ ଅଂଚଳରେ ପ୍ରବେଶ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି।

Leave A Reply

Your email address will not be published.