Odisha Link
Bridging the Missing Links in Odisha

ପକ୍ଷପାତିତା ଅଭିଯୋଗ ଆଣିଲେ ମମତା, ନୀତି ଆୟୋଗ ବୈଠକ ମଝିରୁ ଉଠି ଚାଲିଗଲେ

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ନୀତି ଆୟୋଗ ବୈଠକରେ ହାଇଡ୍ରାମା। ୨୦୪୭ ସୁଦ୍ଧା ବିକଶିତ ଭାରତ ରୋଡ୍‌ ମ୍ୟାପ୍‌ ଉପରେ ଆଲୋଚନା ବେଳେ ବୈଠକ ମଝିରୁ ଉଠି ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହିତ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ।

ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇନଥିବା ବେଳେ ମମତା ବାନାର୍ଜୀ ଯୋଗ ଦେଇଥିଲେ। ବୈଠକରେ ସାମିଲ ହୋଇଥିଲେ ମଧ୍ୟ ବୈଠକରୁ ବାହାରିବା ପରେ ଗଣମାଧ୍ୟମ ସାମ୍ନାରେ ରୋଷ ଝାଡିଛନ୍ତି।

ସେ କହିଛନ୍ତି, ବୈଠକରେ ମୁଁ ମୋ’ ନିଜ ରାଜ୍ୟର ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବାକୁ ଚାହୁଁଥିଲି। ମାତ୍ର ବୈଠକରେ ମୋତେ କେବଳ ୫ ମିନିଟ୍‌ କହିବାକୁ ଅନୁମତି ମିଳିଲା। କିନ୍ତୁ ଏହି ବୈଠକରେ ମୋ’ ପୂର୍ବରୁ ବହୁ ନେତା ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ନିଜ ଭାଷଣ ଦେଇଛନ୍ତି। ସେହିପରି ବୈଠକରେ ପଶ୍ଚିମବଙ୍ଗକୁ କେନ୍ଦ୍ର ଅନୁଦାନ ମିଳୁ ନ ଥିବା ପ୍ରସଙ୍ଗ ଉଠାଇଥିଲି। ଫଳରେ ମୋ’ ମାଇକ୍‌କୁ ବନ୍ଦ କରି ଦିଆଗଲା। ମୁଁ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମୋ’ ପ୍ରତି ଭେଦଭାବ କରାଯିବା ସହ ମୋ ନିଜ ପକ୍ଷ ରଖିବାକୁ ଦିଆଯାଉ ନ ଥିବା କହିଥିଲି। କିନ୍ତୁ କେହି ଶୁଣି ନ ଥିଲେ ବୋଲି ମମତା ବାନାର୍ଜୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ସୂଚନାଥାଉକି, ନୀତି ଆୟୋଗ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଛନ୍ତି। ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ମୋହନ ମାଝୀ ଓଡ଼ିଶାର ଦାବି ଓ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି

ନୀତି ଆୟୋଗ ବୈଠକ ପରେ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ଜୁଲାଇ ୨୯ ତାରିଖରେ ଓଡ଼ିଶା ଫେରିବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.