Odisha Link
Bridging the Missing Links in Odisha

ନୀତି ଆୟୋଗ ବୈଠକ: ଓଡ଼ିଶା ପାଇଁ କ’ଣ ଦାବି ରଖିଲେ ମୋହନ, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ପାଇଁ ନୀତି ଆୟୋଗର ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଷ୍ଟ୍ରପତି ଭବନର ସଂସ୍କୃତିକ କେନ୍ଦ୍ରରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଭିନ୍ନ ଦାବି ରଖିଛନ୍ତି ମୋହନ ଚରଣ ମାଝୀ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିର ନୀତି ଆୟୋଗ ବୈଠକରେ ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଦାବି ପାଇଁ ସହାୟତା ଲୋଡ଼ିଛନ୍ତି। ଏଥିସହିତ ଧାମରା ଓ ଗୋପାଳପୁର ନିକଟରେ ଶିଳ୍ପାଞ୍ଚଳ ଗଠନ ପାଇଁ ଦାବି କରିଛନ୍ତି। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୪ହଜାର ୩ଶହ ଏକର ଜମି ହସ୍ତାନ୍ତର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଚନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାର ସୁଦୀର୍ଘ ୪୫୦ କି.ମି ଉପକୂଳ ଅଞ୍ଚଳକୁ ବିକଶିତ କରିବା ନିମନ୍ତେ ବନ୍ଦରଭିତ୍ତିକ ବିକାଶ ମଡେଲକୁ ଆପଣାଇବା ସହ ଏକ ବୃହତ୍ତ ବନ୍ଦର ଭିତ୍ତିକ ଶିଳ୍ପ ଜୋନ୍‌ ପ୍ରତିଷ୍ଠା କରାଯାଇପାରିବ। ଯାହାକି ଓଡ଼ିଶାକୁ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ଦ୍ୱାର ଏବଂ ପଡୋଶୀ ରାଜ୍ୟଗୁଡିକ ପାଇଁ ଏକ ଯୋଗାଯୋଗର କେନ୍ଦ୍ର ପାଲଟିବ।

ସେହିପରି ଧାମରା ଏବଂ ଗୋପାଳପୁରର ବନ୍ଦରଗୁଡିକର ନିକଟବର୍ତ୍ତୀ ଅଞ୍ଚଳରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସହାୟତା ଆବଶ୍ୟକ। ଅସ୍ତରଙ୍ଗ, ପାଲୁର, ବାହୁଦା, ଏବଂ ସୁବର୍ଣ୍ଣେରେଖା ଠାରେ ଗ୍ରୀନ୍ ଫିଲ୍ଡ ବନ୍ଦରଗୁଡିକର ବିକାଶ କରାଯିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାର ପ୍ରାୟ ୪୩୦୦ଏକରର ଲବଣାକ୍ତ ଜମି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରିବା ନିମନ୍ତେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଆର୍ଥିକ ଅନ୍ତର୍ଭୂକ୍ତିକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ରାଜ୍ଯର ବ୍ଯାଙ୍କ ସେବା ଅପହଞ୍ଚ ପଞ୍ଚାୟତ ଗୁଡିକରେ ଅଧିକ ସଂଖ୍ୟକ ବ୍ୟବସାୟିକ ଶାଖା (ବ୍ଯାଙ୍କ) ଏଟିଏମ୍ ଏବଂ ଟେଲିକମ୍‌ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶାର ରେଳ ଘନତା କମ୍ ରହିଛି। ଭାରତ ସରକାର ଓଡ଼ିଶାରେ ରେଳ ଘନତା ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ମୋଟ ୩୩ %ରୁ ଅଧିକ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଓଡ଼ିଶାର ଅବଦାନ ପରିବେଶ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ। ମାତ୍ର ଏହା ଅନେକ ସମୟରେ ବିକାଶମୂଳକ ପ୍ରକଳ୍ପରେ ବାଧା ସୃଷ୍ଟି କରୁଛି ଯାହାକି ସିଧାସଳଖ ରାଜ୍ଯର ଆର୍ଥିକ ପ୍ରଗତିରେ ପ୍ରତିବନ୍ଧକ ସାଜୁଛି। ଏହାର ସ୍ଥାୟୀ ସମାଧାନ ଏବଂ ପ୍ରତିକାର ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛି।

ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବା ନିମନ୍ତେ ଏଫ୍‌ଡିଆଇ ବ୍ୟବସ୍ଥା ସହ ଆବଶ୍ୟକୀୟ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବା ପାଇଁ ଅନୁରୋଧ କରିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିକଶିତ ଓଡ଼ିଶା ନିର୍ମାଣ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Leave A Reply

Your email address will not be published.