ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେବାରେ ଓସ୍ତାଦ୍ ନବୀନ ପଟ୍ଟନାୟକ: ବିଜେପି

ଓଏଲ୍ ବ୍ୟୁରୋ: ଆଜି ବଜେଟ୍ ପ୍ରସଙ୍ଗରେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏଥର ବଜେଟ୍ ଗେମ୍ ଚେଞ୍ଜର ନୁହେଁ ନେମ୍ ଚେଞ୍ଚର ବୋଲି କହିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ଜନତା ପାର୍ଟି।
ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଦିଲ୍ଲୀପ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି, ବାସ୍ତବରେ ଓଡ଼ିଶାବାସୀ ହେଉଛନ୍ତି ପ୍ରକୃତ ଗେମ୍ ଚେଞ୍ଜର। ୨୫ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଶିକାର ହୋଇଥିବା ଓଡ଼ିଶାବାସୀ ଆଜି ନବୀନ ପଟ୍ଟନାୟକଙ୍କ ସରକାରକୁ ଉପାଡି ଫୋପାଡି ଦେଇଛନ୍ତି। ଏହା ସତ୍ୱେ ଓଡିଶାବାସୀଙ୍କର ନିଷ୍ପତିକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନାହାନ୍ତି ଖୋଦ୍ ନବୀନ ପଟ୍ଟନାୟକ। ନାମ ପରିବର୍ତନ କରି ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେବାରେ ଓସ୍ତାଦ୍ ହେଉଛନ୍ତି ନବୀନ ପଟ୍ଟନାୟକ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ନିଜ ଶାସନ କାଳରେ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ନିଜ ନାମରେ ନାମିତ କରିବା ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ। ବାସଗୃହ, ପାନୀୟଜଳ, ଆମ୍ବୁଲାନ୍ସ, ଚାଉଳ ଆଦି କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ବ୍ରାଣ୍ଡିଂ କରି ଭୋଟ ରାଜନୀତି କରୁଥିବା ନବୀନ ପଟ୍ଟନାୟକଙ୍କ ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରର ପ୍ରଥମ ବଜେଟ୍କୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱାଗତ କରୁଥିବାବେଳେ ନବୀନ ବାବୁଙ୍କ ବକ୍ତବ୍ୟରୁ ତାଙ୍କ ଅସହିଷ୍ଣୁତା ମନୋଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି।
ସୂଚନାଥାଉକି, ବଜେଟ୍ ଆଲୋଚନା ବେଳେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଏଥର ବଜେଟ୍ ଗେମ ଚେଞ୍ଜର ବୋଲି କହୁଛନ୍ତି ବିଜେପି ସରକାର। ବାସ୍ତବରେ ତାହା ନେମ୍ ଚେଞ୍ଜର। ବିଜେଡି ସରକାରର ୮୦ ପ୍ରତିଶତରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର। ବାକି ୨୦ % ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର। ହେଲେ ବଜେଟରେ ରାଜ୍ୟ ସରକାର ରଖିଛନ୍ତି ୧୦ ହଜାର କୋଟି ବୋଲି କହିଥିଲେ ନବୀନ ପଟ୍ଟନାୟକ।