ଅଲିମ୍ପିକ୍ସରେ ପଦକ ଜିତିଲେ ମନୁ, ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ଓଏଲ୍ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ଜିତିଲେ ମନୁ ଭାକର। ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି। ବିଭିନ୍ନ ମହଲରୁ ମନୁ ଭାକରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ସୂଚନା ଅନୁସାରେ, ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ସେ ପଦକ ଜିତି ପାରି ନଥିଲେ। ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ପାଖକୁ ଯାଇଛି। ସ୍ୱର୍ଣ୍ଣ ପଦକ ୱାଇ ଜେ ଓହ ଜିତିଥିବା ବେଳେ କିମ ରୌପ୍ୟ ପଦକ ପାଇଛନ୍ତି।