ଇତିହାସ ରଚିବେ ମନୁ, ପ୍ରଥମ ଭାରତୀୟ ଖେଳାଳି ଭାବେ ଅଲିମ୍ପିକ୍ସରେ କରିବେ ଏହି ରେକର୍ଡ
![](https://www.odishalink.com/wp-content/uploads/2024/07/Manu-Bhaker-update-750x430.jpg)
ଓଏଲ୍ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ମହିଳା ଶୁଟର ମନୁ ଭାକର। ଅଲିମ୍ପିକ୍ସର ୨ୟ ଦିନରେ ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଥିଲେ। ଏବେ ମନୁ ଭାକର ପୁଣିଥରେ ବ୍ରୋଞ୍ଜ ପଦକ ଜିତିବା ଆଶା ସଞ୍ଚାର କରିଛନ୍ତି। ଭାରତୀୟ ଶୁଟର ମନୁ ଭାକର ଓ ସରବଜୋତ ସିଂହ ୧୦ ମିଟର ଏୟାର ପିସ୍ତର ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମୁକାବିଲା ପାଇଁ କ୍ବାଲିଫାଏ କରିଛନ୍ତି।
ଭାରତର ଏହି ଦୁଇ ଖେଳାଳି କ୍ବାଲିଫିକେଶନ୍ ରାଉଣ୍ଡରେ ୨୦ଟି ପରଫେକ୍ଟ ଶଟ୍ ଲଗାଇ ୫୮୦ ପଏଣ୍ଟ ହାସଲ କରି ପଦକ ମ୍ୟାଚ୍ରେ ପ୍ରବେଶ କରିଛନ୍ତି। ଏବେ ମନୁ-ସରବଜୋତ ବ୍ରୋଞ୍ଜ ପଦକ ପାଇଁ ସାଉଥ୍ କୋରିଆର ଲି ବି ହୋ ଓ ଓୋହ ଜିନଙ୍କ ବିପକ୍ଷରେ ଖେଳିବେ। ଏହି ମୁକାବିଲା ଆସନ୍ତାକାଲି ଅପରାହ୍ନ ୧ଟାରେ ଖେଳାଯିବ।
ଯଦି ମନୁ-ସରବଜୋତଙ୍କ ଯୋଡ଼ି ଜୁଲାଇ ୩୦ ତାରିଖରେ ବ୍ରୋଞ୍ଜ ପଦକ ଜିତନ୍ତି ତେବେ ମନୁ ଭାକର ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବା ମାମଲାରେ ପ୍ରଥମ ଭାରତୀୟ ଖେଳାଳି ହେବେ। ଏହାପୂର୍ବରୁ କୌଣସି ଭାରତୀୟ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ନାହାନ୍ତି। ସୁଶୀଲ କୁମାର ଓ ପିଭି ସିନ୍ଧୁ ଦୁଇ ଦୁଇଟି ପଦକ ଜିତିଛନ୍ତି। ହେଲେ ତାହା ଅଲଗା ଅଲଗା ଅଲିମ୍ପିକ୍ସରେ।
ଅଧୁରା ରହିଲା ରମିତାଙ୍କ ସ୍ବପ୍ନ:
ଭାରତର ରମିତା ଜିନ୍ଦଲଙ୍କ ସ୍ବପ୍ନ ଅଧୁରା ରହି ଯାଇଛି। ସେ ୧୦ ମିଟର ଏୟାର ରାଇଫଲ୍ର ଫାଇନାଲ ଇଭେଣ୍ଟରେ ୭ମ ସ୍ଥାନରେ ରହିଲେ। ୨୦ ବର୍ଷିୟା ରମିତା ଫାଇନାଲ ମ୍ୟାଚ୍ରେ ୧୪୫.୩ ସ୍କୋର କରି ୭ମ ସ୍ଥାନରେ ରହିଲେ।