କେରଳ ଭୂସ୍ଖଳନ ପ୍ରସଙ୍ଗ: ବିପର୍ଯ୍ୟୟ ମୁକାବିଲାର ଉଦାହରଣ ପାଲଟିଲା ଓଡ଼ିଶା
ଓଏଲ୍ ବ୍ୟୁରୋ: କେରଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଶତାଧିକ ପ୍ରାଣହାନୀ ହୋଇଥିବାବେଳେ ଏବେବି ଅନେକ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏତେ ବଡ ଦୁର୍ଘଟଣାର କାରଣ କଣ ହୋଇପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଆଗୁଆ ସତର୍କତା ଅବଲମ୍ବନ ନକରିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି। କେରଳରେ ପ୍ରକୃତିର କରାଳ ରୂପକୁ ନେଇ ରାଜ୍ୟସଭାରେ ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜୁଲାଇ ୨୩ରେ କେରଳ ସରକାରଙ୍କୁ ଭାରତ ସରକାରଙ୍କ ତରଫରୁ ସତର୍କ କରାଯାଇଥିଲା। ୨୬ ତାରିଖରେ ଭୂସ୍ଖଳନ ହେବାର ସମ୍ଭାବନା ନେଇ ସତର୍କ କରାଯାଇଥିଲା। ତାହା ସତ୍ତ୍ୱେ ମଧ୍ୟ କେରଳରେ ଶତାଧିକ ପ୍ରାଣହାନୀ ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଏମିତି ରାଜ୍ୟ ମଧ୍ୟ ଅଛନ୍ତି, ଯେଉଁଠି ବିପର୍ଯ୍ୟୟ ମୁକାବିଲା ପାଇଁ ଜ଼ିରୋ କାଜୁଆଲିଟିର ଉଦାହରଣ ରହିଛି। ଏହି ପ୍ରସଙ୍ଗରେ ରାଜ୍ୟସଭାରେ ଅମିତ ଶାହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ବିପର୍ଯ୍ୟୟ ମୁକାବିଲାରେ ନବୀନଙ୍କ ନୀତିକୁ ପ୍ରଶଂସା କରିଛନ୍ତି। ବିପର୍ଯ୍ୟୟର ୭ ଦିନ ପୂର୍ବରୁ ଓଡ଼ିଶାକୁ ସୂଚନା ଦିଆଯାଇଥିଲା। ରାଜ୍ଯ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ସଫଳତା ମିଳିଥିଲା। ମାତ୍ର ଜଣେ ଲୋକର ମୃତ୍ୟୁ ହୋଇଥିଲା, ତାହା ପୁଣି ଅଜାଣତରେ ହୋଇଥିଲା ବୋଲି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି।