Odisha Link
Bridging the Missing Links in Odisha

ସମ୍ବଲ୍‌ପୁରୀ ଦିବସରେ ଅଭିନନ୍ଦନର ସୁଅ, ଶୁଭେଚ୍ଛାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ସମ୍ବଲପୁରୀ ଦିବସ। ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ୱର୍ଗତଃ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ। ସମ୍ବଲପୁର ଭାଷା ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ୨୦୧୩ରୁ ଏହି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟସୋସିଆଲ୍ ମିଡିଆ `X’ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ସୋସିଆଲ୍ ମିଡିଆ `X’ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରତିବର୍ଷ ଏହି ଅବସରରେ ପୂରା ପଶ୍ଚିମାଞ୍ଚଳ ଉତ୍ସବମୁଖର ହୋଇପଡ଼େ। ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ ଏହିଦିନ ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସ ପାଳନ କରିଥାନ୍ତି। ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର। ଏହାକୁ ଆହୁରି ପ୍ରଚାର ପ୍ରସାର କରି ଏହି ଦିବସର ଉଦ୍ଦେଶ୍ୟ। ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍‌ ବେଶୀ। ଦେଶ ବିଦେଶରେ ଏହା ପରିଚିତ।

ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲା ହୋଇଥାନ୍ତି ଲୋକ। ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି। ସମ୍ବଲପୁରୀ ସଙ୍ଗୀତରେ ଢୋଲ ,ମାଦଳ , ନିସାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ।

କେବଳ ଏତିକି ନୁହେଁ ସମ୍ବଲପୁରୀ ଭାଷା ମଧ୍ୟ ମଧୁର। ରାଜ୍ୟବ୍ୟାପୀ ଲୋକେ ସମ୍ବଲପୁରୀ ଭାଷାକୁ ଆଦର କରିଥାନ୍ତି। ଏଠିକାର ପର୍ବ ମଧ୍ୟ ସବୁଠୁ ନିଆରା। ଶୀତଲ ଷଷ୍ଠୀ, ନୂଆଖାଇ, ଭାଇଜୋଊତିଆ, ପୁଅଜୋଊତିଆ ଆଦି ପର୍ବ ସମ୍ବଲପୁର ବଡ଼ ପର୍ବ। ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ। ଏହାଛଡ଼ା ସମ୍ବଲପୁରୀ ଶାଢ଼ିର ବି ସାରାଦେଶରେ ଆଦର ରହିଛି। ନାରୀମାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢ଼ି କହିଲେ ମଧ୍ୟ ଭୁଲ ହେବ ନାହିଁ। ବହୁ ପୁରାତନ ସମୟରୁ ସମ୍ବଲପୁରୀ ଶାଢ଼ିର ଚାହିଦା ରହିଛି।

Leave A Reply

Your email address will not be published.