Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ସତର୍କ କରାଇଲେ ଏସ୍ଆରସି

ଓଏଲ୍‌ ବ୍ୟୁରୋ: ଘୂର୍ଣ୍ଣିବଳୟ ସହ ରାଜ୍ୟରେ ମୌସୁମୀ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଜାରି ରହିଛି। ଏହି ସ୍ଥିତି ପ୍ରାୟ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ। ବିଶେଷକରି ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀକୁ ୱାର୍ଣ୍ଣିଂ ଦିଆଯାଇଛି। ସ୍ଥିତି ଦେଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦେଶ ଦେଇଛନ୍ତି। ରାସ୍ତାଘାଟରୁ ଜଳ ନିଷ୍କାସନ ପାଇଁ ନିର୍ଦେଶ ଦିଆଯାଇଛି।

ଅନ୍ୟପଟେ, ଆଜି ମୟୁରଭଞ୍ଜର ବାରିପଦାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବାରିପଦାରେ ସର୍ବାଧିକ ୧୫୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିଭଳି ମୟୁରଭଞ୍ଜର ଆଉ ୪ଟି ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁର, କେନ୍ଦୁଝର, ଯାଜପୁରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୧୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଶେଷଜ୍ଞନ ସୂଚନା ଦେଇଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଅନୁଗୋଳ, ବୌଦ୍ଧ, ସୋନପୁର, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.