Odisha Link
Bridging the Missing Links in Odisha

ନିଟ୍ ପରୀକ୍ଷା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ

ଓଏଲ୍ ବ୍ୟୁରୋ: ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି, କୌଣସି ବଡ଼ଧରଣ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ଜଣା ପଡିଛି। କୌଣସି ବ୍ୟବସ୍ଥାଗତ ପ୍ରଶ୍ନପତ୍ର ଲିକ ହୋଇନଥିବାବେଳେ କେବଳ ପାଟଣା, ହଜାରୀବାଗରେ ହୋଇଛି। ତେବେ ଆଗାମୀ ଦିନରେ ତ୍ୱରିତ ପଦକ୍ଷେପ ସହ ବ୍ୟବସ୍ତାକୁ ଆହୁରି କଡା କରାଯିବ ବୋଲି କହିଛନ୍ତି। ଏହା ସହ ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କରିଛନ୍ତି।

ଶୁକ୍ରବାର ନିଟ୍ ପେପର ଲିକ୍ ମାମଲାରେ ସର୍ବୋଚ୍ଚ ଅଦାଲତ ଫଇସଲା ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ସବୁ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଏହା ଏକ ସିଷ୍ଟୋମେଟିକ୍ ବିଫଳତା ନୁହେଁ। ପେପର ଲିକ୍ କେବଳ ହଜାରୀବାଗ ଓ ପାଟଣା ଅଞ୍ଚଳରେ ସୀମିତ ଥିଲା। ପରୀକ୍ଷାର୍ଥୀଙ୍କ ପରିଚୟ ସୁନିଶ୍ଚିତ କରିବା, ପେପର ଲିକ୍ ରୋକିବାକୁ ସୁଚିନ୍ତିତ ଏସଓପି ପ୍ରସ୍ତୁତ କରିବାକୁ ସରକାର ଓ ଏନଟିଏର ଦାୟିତ୍ୱ।

ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାୟ ବିରୋଧରେ କେହି ଅଭିଯୋଗ କରିବାକୁ ଚାହୁଁଥିଲେ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ ଶୁଣାଣି କରିବା ପରେ ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ଖୁସି ବ୍ୟକ୍ତ କରି ନିଜ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତି, ସତ୍ୟର ସୂର୍ଯ୍ୟକୁ ମିଥ୍ୟାର ବାଦଲ କିଛି ସମୟ ପାଇଁ ଲୁଚାଇପାରେ, କିନ୍ତୁ ସତ୍ୟର ସର୍ବଦା ଜୟ ହୁଏ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave A Reply

Your email address will not be published.