Odisha Link
Bridging the Missing Links in Odisha

ଅର୍ପଣ ଚାଉଳ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ, ପରିଚାଳନା କମିଟିର ନିଷ୍ପତ୍ତି ପରେ ନିଆଯିବ ପଦକ୍ଷେପ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବସରରେ ସାରା ରାଜ୍ୟର ଅଗଣିତ ଜଗନ୍ନାଥ ପ୍ରେମୀ ଅର୍ପଣ ଚାଉଳ ଶ୍ରୀମନ୍ଦିର ପଠାଇଥିଲେ। ତେବେ ସେହି ଅର୍ପଣ ଚାଉଳ ଏବେ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମିତି ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତ।

ଏଫ୍‌ସିଆଇ ଗୋଦାମରେ ଅର୍ପଣ ଚାଉଳ ପଡ଼ି ରହିବା ପ୍ରସଙ୍ଗରେ ଆଇନ୍‌ ମନ୍ତ୍ରୀ କହିଛନ୍ତି, ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ଯୋଗ୍ୟ ନୁହେଁ। ମନ୍ଦିର ଭିତରେ ବ୍ୟବହାର କରାଯଇ ପାରିବନି ପୂର୍ବରୁ ସେବାୟତ କହିଛନ୍ତି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଯାହା ନିଷ୍ପତ୍ତି ନେବ ସରକାର ତାହା ମାନିବେ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ସେ ଆହୁରି କହିଛନ୍ତି, ଏଫ୍‌ସିଆଇ ଗୋଦାମରେ ହଜାର ହଜାର କ୍ବିଣ୍ଟାଲ ଚାଉଳ ଗଦା ହୋଇଛି। ଖରାପ ହେବା ଆରମ୍ଭ କଲାଣି। ଅର୍ପଣ ଚାଉଳ ସହିତ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ମଧ୍ୟ ରହିଛି। ପରିଚାଳନା କମିଟି ନିଷ୍ପତ୍ତି ନେଇ ସାରିବା ପରେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

Leave A Reply

Your email address will not be published.