ପ୍ୟାରିସ୍ ଅଲିମ୍ପିକ୍ସ: ସେମି ଫାଇନାଲ ଖେଳି ପାରିବେନି ଅମିତ ରୋହିଦାସ, ହକି ଇଣ୍ଡିଆର ଅପିଲ ନାକଚ

ଓଏଲ୍ ବ୍ୟୁରୋ: ଭାରତୀୟ ହକି ଟିମ୍କୁ ବଡ଼ ଝଟକା। ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ହକି ବିଭାଗର ସେମି ଫାଇନାଲ ମୁକାବିଲା ଖେଳି ପାରିବେ ନାହିଁ ଓଡ଼ିଆ ପୁଅ ତଥା ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ। ଟିମ୍ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚ୍ ବ୍ୟାନ୍ ଲଗାଇଛି ଅନ୍ତର୍ଜାତୀୟ ହକି ଫେଡରେସନ୍(ଏଫ୍ଏଚ୍ଆଇ)। ଯାହାଫଳରେ ମଙ୍ଗଳବାର ଖେଳା ଯିବାକୁ ଥିବା ସେମି ଫାଇନାଲ ମୁକାବିଲାରେ ଅମିତଙ୍କ ବିନା ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ।
ଏଫ୍ଏଚ୍ଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏଫ୍ଆଇଏଚ୍ର ଆଚାର ସଂହିତାର ନିୟମ ଉଲ୍ଲଂଘନ କରିବା କାରଣରୁ ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲଗାଯାଇଛି। ସେ ମ୍ୟାଚ୍ ନମ୍ବର ୩୫ ଅର୍ଥାତ ୬ ଅଗଷ୍ଟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ। ଭାରତୀୟ ଦଳକୁ ତାଙ୍କ ବିନା ବାକି ୧୫ ଖେଳାଳିଙ୍କ ମଧ୍ୟରୁ ଖେଳାଳି ଚୟନ କରି ସେମିଫାଇନାଲ ଟିମ୍ ତିଆରି କରିବାକୁ ପଡ଼ିବ।
ହକି ଇଣ୍ଡିଆ ରୋହିଦାସଙ୍କ ନିଲମ୍ବନ ବିପକ୍ଷରେ ଅପିଲ କରିଛି। ଯାହାର ନିଷ୍ପତ୍ତି ଏଫ୍ଆଇଏଚ୍ର ଜୁରୀ ନିଷ୍ପତ୍ତି ନେବେ। ହକି ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଅମିତଙ୍କ ଉପରେ ଗୋଟିଏ ମ୍ୟାଚ୍ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ହକି ଇଣ୍ଡିଆ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏଫ୍ଆଇଏଚ୍ ନିକଟରେ ଅପିଲ ମଧ୍ୟ କରିଛି। ଏଫ୍ଆଇଏଚ୍ର ଏକ ଜୁରୀ କମିଟି ଏହି ଘଟଣାର ଶୁଣାଣି କରିବେ ବୋଲି କହିଛନ୍ତି ବରିଷ୍ଠ ଅଧିକାରୀ।
ସୂଚନାଥାଉକି, କ୍ବାର୍ଟର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ-ଗ୍ରେଟ୍ ବ୍ରିଟେନ୍। କ୍ୱାର୍ଟର ଫାଇନାଲ ମ୍ୟାଚ୍ର ଦ୍ବିତୀୟ କ୍ବାର୍ଟରରେ ରୋହିଦାସଙ୍କ ହକି ଷ୍ଟିକ୍ ଗ୍ରେଟ୍ ବ୍ରିଟେନର ଖେଳାଳି ୱିଲ୍ କଲନାନଙ୍କ ମୁହଁରେ ବାଜିଥିଲା। ଅନଫିଲ୍ଡ୍ ରେଫରି ଏହି ଘଟଣାକୁ ଗୁରୁତ୍ୱର ସହ ନେଇନଥିଲେ। କିନ୍ତୁ ବ୍ରିଟେନ ଖେଳାଳି ମାନେ ପୁନଃଭିଡିଓ ରେଫରାଲ ନେଇଥିଲେ। ଯାହାପରେ ରୋହିଦାସଙ୍କୁ ରେଡ୍ କାର୍ଡ୍ ମିଳିଥିଲା।
ଯାହାଫଳରେ ପ୍ରାୟ ୪୨ ମିନିଟ୍ ପର୍ଯ୍ୟନ୍ତ ୧୦ ଜଣ ଖେଳାଳିଙ୍କ ସହିତ ଖେଳିଥିଲା ଭାରତ। ଅମିତ ପଡ଼ିଆରୁ ବାହାରିବାର କିଛି କ୍ଷଣ ଭିତରେ ଟିମ୍ ଇଣ୍ଡିଆ ଅଧିନାୟକ ହରମନପ୍ରୀତ ସିଂହ ପ୍ରଥମ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ହେଲେ ସେହି ଖୁସି ବେଶି ସମୟ ପର୍ଯ୍ୟନ୍ତ ରହି ନଥିଲା। କାରଣ ୧୦ ଖେଳାଳିଙ୍କ ସହିତ ଖେଳୁଥିବା ଭାରତୀୟ ଦଳ ଉପରେ ଆକ୍ରମଣାତ୍ମକ ସଟ୍ ଖେଳି ଗ୍ରେଟ୍ ବ୍ରିଟେନ ପାଲଟା ଜବାବ ଦେଇଥିଲା। ଯାହାଫଳରେ ସ୍କୋର ବରାବର ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳାଫଳ ନବାହାରିବାର ମ୍ୟାଚ୍ ପେନାଲଟି ସୁଟ୍ ଆଉଟ୍ ମୁକାବିଲାରେ ପହଁଞ୍ଚିଥିଲା। ଆଉ ଭାରତ ୪-୨ରେ ଗ୍ରେଟ୍ ବ୍ରିଟେନ୍କୁ ହରାଇ ସେମିରେ ପ୍ରବେଶ କରିଛି।