Odisha Link
Bridging the Missing Links in Odisha

ଅଶାନ୍ତ ବାଂଲାଦେଶ, ଭାରତୀୟ ନାଗରିକଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

ଓଏଲ୍ ବ୍ୟୁରୋ: ରବିବାର ସକାଳେ ବାଂଲାଦେଶ ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଏହି ସଂଘର୍ଷରେ ଅତି କମ୍‌ରେ ୧୪ ଜଣ ପୁଲିସ୍‌ କର୍ମଚାରୀଙ୍କ ସମେତ ଅତିକମରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ ଲୋକ ଆହତ ହୋଇଛନ୍ତି। ବାଂଲାଦେଶରେ ରହୁଥିବା ଭାରତୀୟଙ୍କ ସତର୍କତା ଅବଲମ୍ବନ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି।

ହିଂସାର ନୂଆ ପର୍ଯ୍ୟାୟ ଭିତରେ ଉପୁଜିଥିବା ଏହି ସଂଘର୍ଷରେ ମୋବାଇଲ୍ ଇଣ୍ଟରନେଟ୍ ସେବା ପ୍ରଭାବିତ ହୋଇଛି। ସେବାକୁ ବନ୍ଦ କରିବା ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିବା ସହିତ କର୍ତ୍ତୃପକ୍ଷଙ୍କୁ କଠୋର ପଦକ୍ଷେପ ନେବାକୁ କୁହାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବାଂଲାଦେଶ ଯାତ୍ରା ନକରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ନାଗରିକମାନଙ୍କୁ ଦୃଢ଼ ଭାବରେ ପରାମର୍ଶ ଦେଇଛନ୍ତି ଏବଂ ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶର ଭାରତୀୟ କର୍ତ୍ତୃପକ୍ଷ ନାଗରିକମାନଙ୍କୁ ସତର୍କ ରହିବାକୁ କହିଛନ୍ତି।

ହିଂସାର ନୂଆ ପର୍ଯ୍ୟାୟ ଭିତରେ ଭାରତ ସରକାର ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ୍ ଜାରି କରିଛନ୍ତି। ଏହି ନମ୍ବରରେ ଯୋଗାଯୋଗ କଲେ ଢାକାସ୍ଥିତ ଭାରତୀୟ ହାଇକମିଶନ ନିଜ ନାଗରିକଙ୍କୁ ସାହାଯ୍ୟ କରିବ। ଭାରତ ସରକାରଙ୍କ ଅନୁସାରେ ବାଂଲାଦେଶରେ ମୋଟ ୭ ହଜାର ଭାରତୀୟ ରହୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଭାରତୀୟ ହାଇକମିଶନଙ୍କ ପକ୍ଷରୁ ଶକ୍ତ ପରାମର୍ଶ ଜାରି କରାଯାଇଛି। ଭାରତ ସରକାର ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ ସହିତ ଅଯଥାରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଭାରତୀୟ ହାଇକମିଶନ ଜରୁରୀକାଳିନ ସହାୟତା ନମ୍ବର ଜାରି କରିଛନ୍ତି। ନମ୍ବର ଗୁଡିକ ହେଉଛି +8801958383679, +8801958383680, +8801937400591 ଏହି ସବୁ ନମ୍ବରକୁ କଲ କରି ଭାରତୀୟ ନାଗରିକ ସହାୟତା ମାଗି ପାରିବେ।

Leave A Reply

Your email address will not be published.