ଝାରସୁଗୁଡ଼ା ଆସନକୁ ନେଇ ଥମୁନି ବିବାଦ, ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ

ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ସାରିଛି। ହେଲେ ଏବେ ବି ବିଜୁ ଜନତା ଦଳର ପରାଜୟ ସ୍ୱୀକାର କରିପାରୁନାହାନ୍ତି ଅନେକ ନେତା ଓ କର୍ମୀ।
ଏସବୁ ଭିତରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ଝାରସୁଗୁଡା ଆସନ। କାରଣ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ପୂର୍ବତନ ବିଧାୟିକା ଦୀପାଳି ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ ନୋଟିସ କରିଛନ୍ତି। ପୂର୍ବତନ ବିଧାୟିକା ଦୀପାଳି ଦାସ ଝାରସୁଗୁଡ଼ା ବିଧାନସଭା ନିର୍ବାଚନକୁ ନେଇ ପିଟିସନ ଦାଖଲ କରିଥିଲେ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିଜୟକୁ ଅସିଦ୍ଧ ଘୋଷଣା ପାଇଁ ଆବେଦନ କରିଛନ୍ତି। ନାମାଙ୍କନରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ପିଟିସନ୍ରେ ଦର୍ଶାଇଥିବା ଅଭିଯୋଗ ରହିଛି। ଅପରାଧିକ ମାମଲା ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି।