ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ବିପୁଳ ସଂପତି ଠାବ, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ରେଡ୍

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ଏକକାଳୀନ ୧୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍। ରେଡ୍ ସମୟରେ ବିପୁଳ ସୁନା ଅଳଙ୍କାର, ଜମିଜମା କାଗଜପତ୍ର, ସୁନା ହାର, ବ୍ରେସଲେଟ୍, ମୁଦି ଓ ଅନ୍ୟାନ୍ୟ ଗହଣା ଠାବ ହୋଇଛି। ପ୍ରଦୀପ ରଥଙ୍କ ଘରୁ ରୁପା କ୍ଏନ ଓ ନଗଦ ଟଙ୍କା ଜବତ ହୋଇଛି।
କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ରେଡ୍ ଜାରି ରହିଛି। ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚଢ଼ାଉ ଚାଲିଛି। ଭଦ୍ରକରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ୱର ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ ଦୋକାନରେ ବି ଭିଜିଲାନ୍ସ ଚଢ଼ାଉ କରୁଛି।