ନୂଆ ଡିଜିପି ନିଯୁକ୍ତି ନେଇ ବଢ଼ିଲା ଚର୍ଚ୍ଚା, ୩ ଆଇପିଏସ୍ ଅଧିକାରୀଙ୍କ ତଥ୍ୟ ମାଗିଲା ଗୃହବିଭାଗ

ଓଏଲ୍ ବ୍ୟୁରୋ: ନୂଆ ପୁଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆ ଡିଜିପି କିଏ ହେବେ ଚର୍ଚ୍ଚା ହେଉଥିବାବେଳେ ୩ ଆଇପିଏସ୍ ଅଧିକାରୀଙ୍କ ତଥ୍ୟ ମାଗିଲା ରାଜ୍ୟ ଗୃହବିଭାଗ। ଆଇପିଏସ୍ ଅରୁଣ ରାୟ, ଆଇପିଏସ୍ ଏସଏମ ନରବାଣେ ଓ ୱାଇ.ବି ଖୁରାନିଆଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରେ କେହି ଜଣେ ରାଜ୍ୟର ପରବର୍ତ୍ତୀ ଡିଜିପି ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଛି। ଶୁକ୍ରବାର କେନ୍ଦ୍ର ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଖୁରାନିଆଙ୍କୁ ଓଡ଼ିଶା ଫେରାଇବା ସହିତ ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆର୍ପିଏଫ୍ ସ୍ବତନ୍ତ୍ର ଡ଼ିଜି ନିଯୁକ୍ତ କରିବା ପରେ କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ମତ ହେଉଛି, ଯେ କୌଣସି ମୁହୂର୍ତ୍ତରେ ନୂଆ ଡି଼ଜିଙ୍କ ନିଯୁକ୍ତି ପ୍ରକ୍ରିୟାକୁ ସରକାର ତ୍ବରାନ୍ବିତ କରିପାରନ୍ତି।
ଶ୍ରୀ ଖୁରାନିଆଙ୍କୁ ନଜରରେ ରଖି ସରକାର ରାସ୍ତା ଫିଟାଉଛନ୍ତି। ପୂର୍ବ ସରକାର ସ୍ଥାୟୀ ଡିଜି ନିଯୁକ୍ତି ପାଇଁ ଦେଇଥିବା ପ୍ରସ୍ତାବ ଉପରେ ଆବଶ୍ୟକ ସ୍ପଷ୍ଟୀକରଣ ଦେଇ ନୂଆ ସରକାର ଏହି ପ୍ରକ୍ରିୟାକୁ ଆଗେଇନେବେ। ଅନ୍ୟପକ୍ଷରେ ଯଦି ଶ୍ରୀ ଖୁରାନିଆ ଡିଜି ହୁଅନ୍ତି, ତେବେ ବର୍ତ୍ତମାନର ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ପୁଲିସ ବ୍ୟବସ୍ଥା ବାହାରେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିଯୁକ୍ତି ଦେଇପାରନ୍ତି। ଶନିବାର କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତିକ୍ରମେ ବିଏସ୍ଏଫ୍ର ସ୍ବତନ୍ତ୍ର ଡିଜି ପଦରେ ଥିବା ଶ୍ରୀ ଖୁରାନିଆଙ୍କୁ ଓଡ଼ିଶା ଫେରାଇ ଦେଇଥିଲେ। ତାଙ୍କ ସହିତ ବିଏସ୍ଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କୁ ବି ତାଙ୍କ ମୂଳ କ୍ୟାଡର୍ କେରଳକୁ ପଠାଇ ଦିଆଯାଇଥିଲା।