ଅଶାନ୍ତ ବାଂଲାଦେଶ, ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
ଓଏଲ୍ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ। ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା। ବାଂଲାଦେଶ ପାଇଁ ସର୍ବଦଳୀୟ ବୈଠକ ହୋଇଛି। ବାଂଲାଦେଶ ସ୍ଥିତି ନେଇ ସଂସଦ ଭବନରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର। ସ୍ଥିତି ନେଇ ସୂଚନା ଦେବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।
ଅନ୍ୟପଟେ, ବାଂଲାଦେଶକୁ ଟ୍ରେନ୍ ଚଳାଚଳ ଓ ବିମାନ ଚଳାଚଳ ବନ୍ଦ ରଖିଲେ ଭାରତ ସରକାର। କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି। କୋଲକାତା-ଢାକା ଓ କୋଲକାତା-ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ରପ୍ରେସ୍ ଓ ବନ୍ଧନ ଏକ୍ସପ୍ରେସ୍ ଚଳାଚଳ କରିବ ନାହିଁ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏୟାର ଇଣ୍ଡିଆ ମଧ୍ୟ ବାଂଲାଦେଶକୁ ବିମାନ ସେବା ବାତିଲ୍ କରିଛି। ଢାକାକୁ ଯାତ୍ରା କରୁଥିବା ସମସ୍ତ ବିମାନକୁ ବାତିଲ କରିଛି ଏୟାର ଇଣ୍ଡିଆ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାଂଲାଦେଶକୁ ଟ୍ରେନ୍ ଓ ଏୟାର ଇଣ୍ଡିଆର କୌଣସି ବିମାନ ଚଳାଚଳ କରିବ ନାହିଁ।
ବାଂଲାଦେଶରେ ଆନ୍ଦୋଳନ ସ୍ଥିତି ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଆଇନ୍ ମନ୍ତ୍ରୀଙ୍କ ଆବାସକୁ ଘେରି ରହିଛନ୍ତି ଆନ୍ଦୋଳନକାରୀ। ଭଙ୍ଗାରୁଜା ବି କରିଛନ୍ତି ଆନ୍ଦୋଳନକାରୀ। ଅନ୍ୟପଟେ ବାଂଲାଦେଶର ଆଇନ୍ ମନ୍ତ୍ରୀ ଅନୀସୁଲ ହକ କହିଛନ୍ତି, ଦେଶର ସ୍ଥିଛି ବର୍ତ୍ତମାନ ସମୟରେ ଠିକ୍ ନାହିଁ। ମୋତେ ବି ଜଣା ନାହିଁ ଆଗକୁ କ’ଣ ହେବ। ଚାକିରିରେ ସଂରକ୍ଷଣ ଶେଷ କରିବା ପାଇଁ ଓ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରୁଥିବା ଜନତା ଓ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ହିଂସା ହେବା ଯୋଗୁଁ ୧୯ ପୁଲିସ କର୍ମୀ ଓ ୧୦୦ରୁ ଉର୍ଦ୍ଧ୍ବ ଜନତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।
୨୫୦ରୁ ଉର୍ଦ୍ଧ୍ବ ଲୋକ ଆହତ ଥିବା ସୂଚନା ରହିଛି। ଦେଶର ସ୍ଥିତି ଏତେ ଖରାପ ଯେ ସାରା ଦେଶରେ ଅନିଶ୍ଚିତ ସମୟ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହିତ ସାରା ଦେଶରେ ଇଣ୍ଟରନେଟ୍ ଉପରେ ବ୍ୟାନ୍ ଲଗାଯାଇଛି। ପୂରା ଦେଶ ଏବେ ସେନାର ଛତ୍ରଛାୟାରେ ରହିଛି। ଏବେ ସମ୍ପର୍ଣ୍ଣ ଦେଶକୁ ସେନା ପରିଚାଳନା କରିବ।
ବାଂଲାଦେଶରେ ସ୍ଥିତି ଅଧିକ ବିଗିଡ଼ିବାରୁ ଭାରତ ସରକାର ସୀମାରେ ଅଧିକ ସଚେତନ ରହିବା ପାଇଁ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶ ଆଇନ୍ ବ୍ୟବସ୍ଥା ଭୁଶୁଡ଼ିବା ପରେ ସ୍ଥିତିକୁ ଅନୁଧ୍ୟାନ କରି ବିଏସ୍ଏଫ୍ ବାଂଲାଦେଶ-ଭାରତ ସୀମାରେ ହାଇ ଆର୍ଲଟ ଜାରି କରିଛି। ବିଏସ୍ଏଫ୍ର ଜଣେ ଅଧିକାରୀ କହିଛନ୍ତି, ବିଏସ୍ଏଫ୍ ଡିଜି ଏବେ କୋଲକାତାରେ ପହଁଞ୍ଚିଛନ୍ତି। ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ବିଏସ୍ଏଫ୍ ଅଧିକ ସକ୍ରିୟ ହୋଇ ଉଠିଛି।