Odisha Link
Bridging the Missing Links in Odisha

ପୋଲାଭରମ୍‌ ଗସ୍ତରେ ଯିବ ବିଜେଡି ଟିମ୍, କ୍ଷତିଗ୍ରସ୍ତ ଅଞ୍ଚଳରେ କରିବେ ପରିଦର୍ଶନ

ଓଏଲ୍‌ ବ୍ୟୁରୋ: ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କରିଥିବା ଏକ ଦଳ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ଟିମରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଂଚଳର ବିଜେଡି ନେତା। ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ।

ଅନ୍ୟପଟେ, ଓଡ଼ିଶା ବିରୋଧ କରି ଆସୁଥିବା ପୋଲାଭରମ୍‌ ପ୍ରକଳ୍ପ କାମ ଶୀଘ୍ର ସାରିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଓ କଂଗ୍ରେସ। କେନ୍ଦ୍ରୀୟ ବଜେଟ ଉପସ୍ଥାପନା କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପୋଲାଭରମ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଥିଲେ, କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ପୋଲାଭରମ ପ୍ରକଳ୍ପ ସଂପର୍କରେ ଘୋଷଣା ବେଳେ ଓଡିଶା ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇନି। କେନ୍ଦ୍ରର ଏଭଳି ଘୋଷଣା ଓଡ଼ିଶା ସ୍ବାର୍ଥ ପ୍ରତି ପ୍ରଚଣ୍ଡ ଆଘାତ। କେନ୍ଦ୍ର ସରକାର ସହଯୋଗୀ ଦଳଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଓଡିଶା ସ୍ବାର୍ଥକୁ ମାରି ଦେଉଛନ୍ତି। ନିଜ ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟ-ରାଜ୍ୟ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ।

ସେପଟେ ପୋଲାଭରମ୍‌ ପ୍ରସଙ୍ଗରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡ଼ିଯିବ। ବିଶେଷ ଭାବେ ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେବ। ଏବେ କେନ୍ଦ୍ରରେ. ଓଡ଼ିଶାରେ ଓ ଆନ୍ଧ୍ରପ୍ରଦେଶରେ ତାଙ୍କର ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କେନ୍ଦ୍ର, ରାଜ୍ୟ ସହ ଆନ୍ଧ୍ରରେ ବି ବିଜେପି ଓ ଏନଡିଏ ସହଯୋଗୀଙ୍କ ସରକାର ଥିବା ବେଳେ ଓଡ଼ିଶାକୁ ଅଣଦେଖା ଦୁର୍ଭାଗ୍ୟଜନକ ବୋଲି ସୋଫିଆ କହିଥିଲେ।

Leave A Reply

Your email address will not be published.