ବାଂଲାଦେଶରେ ସ୍ଥିତି ଅଣାୟତ୍ତ, କିଏ ସମ୍ଭାଳିବ ଶାସନଭାର?
![](https://www.odishalink.com/wp-content/uploads/2024/08/BANGLA-750x430.jpg)
ଓଏଲ୍ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ। ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇଛନ୍ତି। ତେବେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ବାଂଲାଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ନାଁ ବି ଚର୍ଚ୍ଚାରେ ରହିଛି।
ଅନ୍ୟପଟେ, ବାଂଲାଦେଶକୁ ଟ୍ରେନ୍ ଚଳାଚଳ ଓ ବିମାନ ଚଳାଚଳ ବନ୍ଦ ରଖିଲେ ଭାରତ ସରକାର। କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି। କୋଲକାତା-ଢାକା ଓ କୋଲକାତା-ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ରପ୍ରେସ୍ ଓ ବନ୍ଧନ ଏକ୍ସପ୍ରେସ୍ ଚଳାଚଳ କରିବ ନାହିଁ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏୟାର ଇଣ୍ଡିଆ ମଧ୍ୟ ବାଂଲାଦେଶକୁ ବିମାନ ସେବା ବାତିଲ୍ କରିଛି। ଢାକାକୁ ଯାତ୍ରା କରୁଥିବା ସମସ୍ତ ବିମାନକୁ ବାତିଲ କରିଛି ଏୟାର ଇଣ୍ଡିଆ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାଂଲାଦେଶକୁ ଟ୍ରେନ୍ ଓ ଏୟାର ଇଣ୍ଡିଆର କୌଣସି ବିମାନ ଚଳାଚଳ କରିବ ନାହିଁ।