Odisha Link
Bridging the Missing Links in Odisha

ବାଂଲାଦେଶ: ମାତ୍ର ୨ ମାସ ମଧ୍ୟରେ ସବୁକିଛି ଶେଷ ହେଇଗଲା, ଜୁନ୍‌-୫ ରୁ ଆରମ୍ଭ ଅଗଷ୍ଟ-୫ରେ ଶେଷ !

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବରେ ଏବେ ବାଂଲାଦେଶ ଦଙ୍ଗାର ଖବର। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ୍‌ ହସିନା ବାଂଲାଦେଶ ମାଟି ଛାଡ଼ିବା ପରେ ବି ଥମୁନି ହିଂସା। ଆଜି ବି ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହିତ ପ୍ରଦର୍ଶନ ଜାରି ରଖିଛନ୍ତି। ତକାଲି ଶେଖ ହସିନାଙ୍କ ଦଳର ଜଣେ ନେତାଙ୍କ ହୋଟେଲରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ଏଥିରେ ୮ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୮୪ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ କାର୍ଯଶୈଳୀକୁ ପ୍ରାୟ ଜନତା ପସନ୍ଦ କରୁଥିଲେ। ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲା। ହେଲେ ହଠାତ୍‌ କାହିଁକି ବାଂଲାଦେଶରେ ହସିନା ବିରୋଧୀ ଆନ୍ଦେଳନ ରୂପନେଲା କାହିଁକି ? ବାଂଲାଦେଶରେ ଚାଲିଥିବା କୋଟା ବିବାଦ କ’ଣ ? ସବିଶେଷ ତଥ୍ୟ ଜାଣିବା ପାଇଁ ପଢ଼ନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ।

ବାଂଲାଦେଶରେ ଯେଉଁ ହିଂସା ଦେଖିବାକୁ ମିଳୁଛି ତାର ମୂଳ କାରଣ ହେଉଛି କୋଟା ସଂରକ୍ଷଣ। କୋଟା ବିରୋଧୀ ହିଂସା ପାଇଁ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଶାସନ ଗାଦି ଛାଡ଼ି ବାଂଲାଦେଶ ଛାଡ଼ିଛନ୍ତି। ତେବେ ଏହି ସଂରକ୍ଷଣ ବା କୋଟା କ’ଣ ଯେଉଁଥିପାଇଁ ଏତେ ‌ଲୋକଙ୍କ ଜୀବନ ଯାଇଛି ଏବଂ ହସିନାଙ୍କୁ ପଦ ହରାଇବାକୁ ପଡ଼ିଛି। ସାଂପ୍ରତିକ ପରିସ୍ଥିତିରେ କୋଟା ବିବାଦ ଗତ ଜୁନ୍‌ ୫ ତାରିଖରୁ ଆରମ୍ଭ ହୋଇଛି।

କୋଟା ସଂରକ୍ଷଣ ବିବାଦ କ’ଣ ?

ବାଂଲାଦେଶରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପୂର୍ବରୁ ଥିଲା। କିନ୍ତୁ ଏହାକୁ ଦେଶର ସାଧାରଣ ବର୍ଗର ଛାତ୍ରମାନେ ଜୋରଦାର ବିରୋଧ କରିଥିଲେ। ପ୍ରବଳ ବିରୋଧ ମଧ୍ୟରେ ହସିନା ୨୦୧୮ରେ ଏହି କୋଟା ପଦ୍ଧତିକୁ ଉଚ୍ଛେଦ କରିବାପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ହସିନା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରି ହାସିନା ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ ଏବଂ ଜୁନ୍‌ ୫ ତାରିଖରେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାଂଲାଦେଶରେ ଛାତ୍ରମାନେ ହାଇକୋର୍ଟଙ୍କ ରାୟକୁ ପ୍ରବଳ ବିରୋଧ କରିଥିଲେ। ସେମାନେ ଏହି ସଂରକ୍ଷଣ ହଟାଇବାକୁ ଚାହିଥିଲେ। କିନ୍ତୁ ହସିନା ଛାତ୍ରଙ୍କର ଏହି ଦାବି ପ୍ରସଙ୍ଗରେ କିଛି ଉତ୍ତର ରଖିନଥିଲେ। ମାମଲା କୋର୍ଟରେ ବିଚରାରାଧୀନ ଥିବାରୁ ସେ ଏହି ମାମଲାରେ ହସ୍ତ‌କ୍ଷେପ କରିବେନି ବୋଲି କହିଥିଲେ।

ପରେ ଏହି ପ୍ରସଙ୍ଗରେ ଶେଖ୍‌ ହସିନା ଯେଉଁ ପ୍ରତିକ୍ରିୟା ରଖିଥିଲେ ତାହା ସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା। ଆନ୍ଦୋଳନକାରୀଙ୍କ ଆନ୍ଦୋଳନରେ ନିଆଁ ଲଗାଇବା ସଦୃଶ ହୋଇଥିଲା। ସେ କୋଟାବୁ ବିରୋଧ କରୁଥିବା ଜନତାଙ୍କୁ ହସିନା ରଜାକାର ବୋଲି କହିଥିଲେ। ସେ ଆହୁରି କହିଥିଲେ। ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଛାତ୍ର ନୁହନ୍ତି ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ଏକ ଶିକ୍ଷା ଦେବାପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ। ରଜାକାର ଅର୍ଥ ଦେଶ ବିରୋଧୀ ଶକ୍ତି।

ହସିନାଙ୍କ ଏହି ପ୍ରତିକ୍ରିୟା ପରେ ଜୁଲାଇ ୧୪ ତାରିଖରେ ହସିନାଙ୍କ ଏହି ଟିପ୍ପଣୀକୁ ବିରୋଧ କରି ଢାକା ବିଶ୍ବବିଦ୍ୟାଳୟର ଛାତ୍ରମାନେ ବିଶ୍ବବିଦ୍ୟାଳୟ ଛାଡ଼ି ବଡ଼ଧରଣର ଆନ୍ଦୋଳନ କରିଥିଲେ। ହସିନାଙ୍କ ଟିପ୍ପଣୀକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା ଏବଂ ହିଂସାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପରେ ବାଂଲାଦେଶର ସୁପ୍ରିମକୋର୍ଟ ଜୁଲାଇ ୨୧ ତାରିଖରେ ଏହି ମାମଲାରେ ହସ୍ତକ୍ଷେପ କରି ସଂରକ୍ଷଣ ହାର ୫ ପ୍ରତିଶତକୁ ହ୍ରାସ କରିଥିଲେ। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ନଥିଲେ।

ସଂରକ୍ଷଣ ପ୍ରସଙ୍ଗରେ ଛାତ୍ରଙ୍କ ଦାବି ପୂରଣ ହୋଇଥିଲେ ସୁଦ୍ଧା ସେମା‌ନେ ପୁଣିଥ‌ରେ ହସିନାଙ୍କ ଟିପ୍ପଣୀ ପାଇଁ ତାଙ୍କଠାରୁ କ୍ଷମା ଦାବି କରି ହିଂସାତ୍ମକ ଆନ୍ଦୋଳନ କରିଥିଲେ। ସେମାନଙ୍କ ହସିନାଙ୍କଠାରୁ କ୍ଷମା ଦାବି କରିଥିଲେ ଏବଂ ଇସ୍ତଫା ଦାବି କରିଥିଲେ। ରବିବାର ସେମାନେ ହସିନାଙ୍କ ଇସ୍ତଫା ଦାବି କରି ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ଯାହା ଏବେ ସାରା ଦେଶରେ ହିଂସା ସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.