Odisha Link
Bridging the Missing Links in Odisha

ଶେଷ ଦିନିକିଆ: କର ବା ମର ମ୍ୟାଚରେ ପ୍ରଥମେ ବୋଲିଂ କରିବ ଭାରତ, ଡେବ୍ୟୁ କଲେ ରିଆନ୍‌ ପରାଗ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଶେଷ ଦିନିକିଆ ମ୍ୟାଚ୍। ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ସେହିପରି ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ଦେଖିବାକୁ ମିଳିଛି। ଯୁବ ଖେଳାଳି ରିଆନ୍‌ ପରାଗ ଦିନିକିଆ ଡେବ୍ୟୁ କରିଛନ୍ତି। ବିରାଟ କୋହଲି ପରାଗଙ୍କୁ ଦିନିକିଆ କ୍ୟାପ୍‌ ପ୍ରଦାନ କରିଛନ୍ତି। ପରାଗ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ବେଳେ ବାଦ୍‌ ପଡ଼ିଛନ୍ତି ଅର୍ଶଦୀପ ସିଂହ। ସେହିପରି କେଏଲ୍‌ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ଶ୍ରୀଲଙ୍କା ଦଳ ଗୋଟିଏ ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇବ।

ସୂଚନାଥାଉକି, ପ୍ରଥମ ଦିନିକିଆ ‘ଟାଇ’ ରହିବା ପରେ ଦ୍ବିତୀୟଟିରେ ଭାରତ ହାରିଯାଇଥିଲା। ଏବେ ଶୃଙ୍ଖଳା ପରାଜୟ ବିପଦର ଚାପ ଟିମ୍‌ ଇଣ୍ଡିଆ ଉପରେ ରହିଛି। ଭାରତ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରି ଆତ୍ମସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ। ନଚେତ୍‌ ଏହି ଫର୍ମାଟରେ ବିଶ୍ବକପ୍‌ ଉପବିଜେତା ଭାରତ ଦୀର୍ଘ ୨୭ ବର୍ଷ ପରେ ଶ୍ରୀଲଙ୍କାଠାରୁ ଦ୍ବିପାକ୍ଷିକ ଶୃଙ୍ଖଳା ପରାଜୟର ଲଜ୍ଜା ବରଣ କରିବ।

ଶେଷ ଥର ପାଇଁ ଭାରତ ୧୯୯୭ରେ ଦିନିକିଆ ଶୃଙ୍ଖଳା ହାରିଥିଲା। ଶ୍ରୀଲଙ୍କାରେ ଖେଳାଯାଇଥିବା ଏହି ଶୃଙ୍ଖଳାରେ ତତ୍‌କାଳୀନ ବିଶ୍ବବିଜେତା ଅର୍ଜୁନ ରଣତୁଙ୍ଗାଙ୍କ ଦଳ ୩-୦ରେ ସଚିନ ତେନ୍ଦୁଲକରଙ୍କ ବାହିନୀକୁ ଶୋଚନୀୟ ପରାଜୟର ବୋଝ ଲଦି‌ଦେଇଥିଲା। ଏହା ପରଠାରୁ ଉଭୟ ଦଳ ଘରେ ବାହାରେ ହୋଇ ମୋଟ ୧୧ଟି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିଛନ୍ତି। ପ୍ରତିଥର ନୀଳ ବାହିନୀ ବିଜେତା ହୋଇଛି। ଶ୍ରୀଲଙ୍କା ବିପକ୍ଷ ଶେଷ ୧୦ ଦିନିକିଆରେ ଭାରତ ମଧ୍ୟ ବିଜୟୀ ହୋଇଛି।

ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ୍‌ ଆୟର, ଋଷଭ ପନ୍ତ, ରିଆନ୍‌ ପରାଗ, ଶିଭମ ଦୁବେ, ଅକ୍ଷର ପଟେଲ, ଓ୍ବାଶିଂଟନ୍‌ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ,

ଶ୍ରୀଲଙ୍କା ଏକାଦଶ: ଥୁମ ନିଶଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, କୁସାଲ ମେଣ୍ଡିସ , ସଦିରା ସମରବିକ୍ରମା, ଚରିତ ଅସଲଙ୍କା, ଜାନିତ ଲିୟାନାଗେ, ଦୁନିତ ୱେଲାଲଗେ, କାମିନ୍ଦୁ ମେଣ୍ଡିସ୍‌,‌ ଜେ‌ଫ୍ରେ ଭଣ୍ଡାରସେ, ଅକିଲ ଧନଞ୍ଜୟ, ଅସିତ ଫର୍ଣ୍ଣାଣ୍ଡୋ।

Leave A Reply

Your email address will not be published.