Odisha Link
Bridging the Missing Links in Odisha

ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ, କାର୍ଯ୍ୟକ୍ଷମ ହେବ ଅଚଳ ଉଠାଜଳସେଚନ ପ୍ରକଳ୍ପ

ଓଏଲ୍‌ ବ୍ୟୁରୋ: ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ସହ ପୁରୁଣା ସଚଳ ପ୍ରକଳ୍ପର ସୁଦୃଢ଼ୀକରଣ ଯୋଜନାକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ୨୦୨୪-୨୫ରୁ ୨୦୨୮-୨୯ ମସିହା ପର୍ଯ୍ୟନ୍ତ ଯୋଜନାକୁ ବୃଦ୍ଧି କରାଯାଇଥିବା ବେଳେ ଏଥିପାଇଁ ୧୦୮୪ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏନେଇ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପପତ୍ର ପ୍ରକାଶ ପାଇଛି।

ପ୍ରକାଶ ପାଇଥିବା, ସଂକଳ୍ପପତ୍ର ଅନୁଯାୟୀ ରାଜ୍ୟରେ ଅଚଳ ତଥା ଅବ୍ୟବହୃତ ହୋଇ ପଡ଼ିଥିବା ୨୦୬୫ଟି ପ୍ରକଳ୍ପର ପୁନରୁଦ୍ଧାର କରାଯାଇ ୫୯୨୯୨ ହେକ୍ଟର ଚାଷଜମିକୁ ପୁନଃ ଜଳସେଚନ ଯୋଗାଇ ଦିଆଯିବ। ସେହିପରି ବହୁଦିନରୁ ବ୍ୟବହୃତ ହୋଇଆସୁଥିବା ୧୦୧୫୨ଟି ଉଠାଜଳସେଚନ ପ୍ରକଳ୍ପର ସୁଦୃଢ଼ୀକରଣ ମଧ୍ୟ କରାଯିବ। ଏହାଦ୍ୱାରା ୨୨୬୮୮୬ ହେକ୍ଟର ଜମିକୁ ନିରବଚ୍ଛିନ୍ନ ଭାବରେ ଜଳଯୋଗାଣ ସହିତ ଅଚଳ ପ୍ରକଳ୍ପର ସଂଖ୍ୟା ହ୍ରାସ କରାଯାଇପାରିବ।

୨୦୨୪-୨୫ ଅର୍ଥାତ୍ ଏହି ବର୍ଷରେ ଅଚଳ ଥିବା ୧୦୦୦ଟି ଅଚଳ ଉଠାଜଳସେଚନ ପ୍ରକଳ୍ପକୁ ସଚଳ କରାଯିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ୨୭୫୬୩ ହେକ୍ଟର ଜମିକୁ ପାଣି ମାଡ଼ିବାକୁ ଥିବା ବେଳେ ଏଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୧୭୨୦ଟି ପୁରୁଣା ସଚଳ ପ୍ରକଳ୍ପକୁ ଚଳିତବର୍ଷ ଜଳସମ୍ପଦ ବିଭାଗ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହାଦ୍ୱାରା ୩୬୧୨୬ ହେକ୍ଟର ଚାଷଜମିକୁ ପୁନଃ ଜଳସେଚନ ବ୍ୟବସ୍ଥା କରାଯାଇପାରିବ। ଏଥିପାଇଁ ୧୨୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି।

Leave A Reply

Your email address will not be published.