ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? ଚର୍ଚ୍ଚାରେ ୪ ନେତା
ଓଏଲ୍ ବ୍ୟୁରୋ: ସେପ୍ଟେମ୍ବର ୩ ତାରିଖରେ ହେବାକୁ ଯାଉଛି ରାଜ୍ୟସଭା ଉପ-ନିର୍ବାଚନ। ୯ଟି ରାଜ୍ୟର ୧୨ଟି ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ଆସନ।
ସୂଚନାଥାଉକି, ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ, ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ। ସଂଖ୍ୟା ବଳ ଦୃଷ୍ଟିରୁ ବିଜେପି ସମର୍ଥିତ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପକ୍କା। ତେଣୁ ଓଡ଼ିଶାରୁ ଏଥର କିଏ ରାଜ୍ୟସଭା ପ୍ରାର୍ଥୀ ହେଉଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନ ପାଇଁ ବିଭିନ୍ନ ନେତାଙ୍କ ନାଁକୁ ଏବେ ଆଲୋଚନା ହେଉଛି।
ରାଜ୍ୟସଭା ସାଂସଦ ରେସରେ ସବୁଠାରୁ ଆଗରେ ରହିଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ। ଏହା ସହ ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କ ନାଁ ମଧ୍ୟ ସାମିଲ ରହିଛି। ମମତା ମହାନ୍ତଙ୍କୁ ବିଜେପି ରିପିଟ କରିପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେପି ନେତା ସମୀର ଦାସ ମଧ୍ୟ ଏହି ରେସରେ ଅଛନ୍ତି।
ଦଳ ପକ୍ଷରୁ ଅବହେଳା କରାଯାଉଥିବା ଅଭିଯୋଗ ଆଣି ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ବିଜେଡି ଛାଡ଼ିବାର ଦିନକ ପରେ ଅଗଷ୍ଟ ୧ ତାରିଖରେ ବିଜେପିରେ ଯୋଗ ଦେଇଥିଲେ ମମତା। ବିଜେଡିରୁ ମମତାଙ୍କ ଇସ୍ତଫା ଏବଂ ବିଜେପିରେ ଯୋଗ ଦେବାକୁ ନେଇ ରାଜ୍ୟ ରାଜନୀତିରେ ବିଭିନ୍ନ ଆଲୋଚନା ସମାଲୋଚନା ହେଉଥିବାବେଳେ କିଏ ମମତା ମହାନ୍ତଙ୍କ ସ୍ଥାନରେ ରାଜ୍ୟସଭାକୁ ଯିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।
ଏପଟେ ମନମୋହନ ସାମଲ କହିଛନ୍ତି, କେନ୍ଦ୍ରୀୟ ନେତୃତ୍ଵ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାମ ହେବ। ବିଧାୟକ ପ୍ରାର୍ଥୀ ହୁଅନ୍ତୁ ବା ସାଂସଦ ପ୍ରାର୍ଥୀ, ସବୁ ନିଷ୍ପତ୍ତି ଦିଲ୍ଲୀରେ ସଂସଦୀୟ ଦଳ ନେବେ ବୋଲି ମନମୋହନ କହିଛନ୍ତି। ବିଜେପି ଓଡ଼ିଶାରେ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନମୋହନ ସାମିଲଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା।
ଗତ ନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କୁ ଟିକେଟ ଦେଇନଥିଲା ବିଜେପି। ରାଜ୍ୟସଭା ସାଂସଦ ପଦ ତାଙ୍କ ଭାଗରେ ପଡ଼ିପାରେ ବୋଲି କୁହାଯାଉଛି। ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ସେ ୨୦୨୦ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବିଜେପି ମମତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇପାରେ ବୋଲି ମଧ୍ୟ ରାଜନୈତିକ କରିଡୋରରେ ଚର୍ଚ୍ଚା ହେଉଛି।
ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବ। ଅଗଷ୍ଟ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ। ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି। ଏହାପରେ ଭୋଟ୍ ଗଣନା କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।