ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଉ ଦୁଇ ଦିନ ପରେ ସାରା ଦେଶ ପାଳନ କରିବ ୭୮ ତମ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶରେ ଆରମ୍ଭ ହୋଇଛି ହର୍ ଘର୍ ତ୍ରିରଙ୍ଗା ଅଭିଯାନ। ଏହି ଅବସରରେ ଆଜି ରାଜ୍ୟରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ହର୍ ଘର୍ ତ୍ରିରଙ୍ଗା କାନଭାସରେ ଦସ୍ତଖତ କରିବା ସହ ତ୍ରିରଙ୍ଗା ପତାକା ଦେଖାଇ ଶୁଭାରମ୍ଭ କଲେ ଅଭିଯାନ।
ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ଦସ୍ତଖତ କରିଥିଲେ। ଏହି ଅବସରରେ ଉପସ୍ଥିତ ଥିବା ମନ୍ତ୍ରୀ ମରନା ତ୍ରିରଙ୍ଗା ଉଡାଇଥିଲେ।
ସୂଚନାଥାଉକି, ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ନିଜ ଘରେ ତ୍ରିରଙ୍ଗା ଲଗାଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ବି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।