ବିଜେପିର ପ୍ରତିଶ୍ରୁତି ପାଣିର ଗାର: ନବୀନ ପଟ୍ଟନାୟକ

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିର ଶିରୋନାମା ପାଲଟିଛି ଭତ୍ତା ପ୍ରସଙ୍ଗ। ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ଭତ୍ତା ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି। ଏଥିସହିତ ଅଗଷ୍ଟ ୧୬ ତାରିଖରୁ ବିଜେଡିର ଜନଜାଗରଣ ଅଭିଯାନ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ। ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଯାହାଫଳରେ ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି। ଏନେଇ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ସେ ଆହୁରି କହିଛନ୍ତି, ଜନଜାଗରଣ ଅଭିଯାନ ଜରିଆରେ ବିଜେଡି ପ୍ରତି ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ କରିବ। ଏଥିସହିତ ଭତ୍ତା ପ୍ରସଙ୍ଗରେ ସରକାର କିଭଳି ପ୍ରତାରଣା କରିଛି ସେ ନେଇ ଲୋକଙ୍କୁ ବୁଝାଇବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ। ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସୂଚନାଥାଉକି, ବିଜେପି ସରକାରକୁ ଆସିଲା ପରେ ଜୁଲାଇ ୨୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି। ସେହିପରି ଅର୍ଥମନ୍ତ୍ରୀ ମୋହନ ସରକାର ଚଳିତ ବଜେଟ୍ରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଥିଲେ।