Odisha Link
Bridging the Missing Links in Odisha

ବିଜେଡି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି: ଅନୀଲ ବିଶ୍ବାଳ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର ସରକାର ଗାଦିଚ୍ୟୁତ ହେବା ପରେ ଆକ୍ସନ ମୋଡ଼ରେ ମୋହନ ସରକାର। ରାଜ୍ୟରେ ଚାଲିଛି ତୁହାକୁ ତୁହା ଭିିଜିଲାନ୍ସ ଚଢ଼ାଉ। ସାରା ରାଜ୍ୟରେ ହେଉଥିବା ଭିଜିଲାନ୍ସ ଚଢ଼ାଉ ବେଳେ ବିଜୁ ଜନତା ଦଳ ସରକାର ସମୟରେ ଚାଲିଥିବା ଦୁର୍ନୀତିର ପ୍ରମାଣ ମିଳୁଛି। ଆଜି ଏମିତି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ।

ଗଣମାମଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୀଲ ବିଶ୍ବାଳ କହିଛନ୍ତି, ବିଜୁ ଜନତା ଦଳ ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା, ସରକାରୀ ଅର୍ଥକୁ ବେଧଡକ୍ ଲୁଟ୍ କରି ସରକାରୀ ଅଧିକାରୀମାନେ କଳାଟଙ୍କାର ପାହାଡ ତିଆରି କରିଥିଲେ ଏହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ ଆସୁଛି।

ସେ ଆହୁରି କହିଛନ୍ତି, ପୂର୍ବ ସରକାର ଥିବାବେଳେ ଭିଜିଲାନ୍ସ କେବଳ ଛୋଟ କେରାଣ୍ଡି ଓ ଗଡିଶା ମାଛକୁ ଧରୁଥିଲା। ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ହୋଇଥିବା ବିଜେପି ସରକାର ବିଜେଡିର ଦୁର୍ନୀତିଖୋର ଗେହ୍ଳାପୁଅମାନଙ୍କୁ ଜେଲ୍‌ର ରାସ୍ତା ଦେଖାଉଛି। କେବଳ କିରାଣୀ, ପିଅନ ନୁହେଁ ବରଂ ବିଭିନ୍ନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉଚ୍ଚପଦସ୍ଥ ଅଫିସରମାନଙ୍କ ଉପରେ ଏବେ ଭିଜିଲାନ୍ସ ଚଢ଼ାଉ କରି ସେମାନଙ୍କ କଳାକାରନାମା ଉପରୁ ପରଦା କାଢ଼ୁଛି। ଭିଜିଲାନ୍ସ ଏମିତି ଅନେକ ଅଫିସରଙ୍କୁ ଧରିଛି ଯାହାଙ୍କର ଜାଗା, ବାଡି ଓ କୋଠା ଗଣିଲେ ମଧ୍ୟ ସରୁନାହିଁ । କାହାର ୧୦୦ରୁ ଅଧିକ ତ ଆଉ କାହାର ରାଜ୍ୟ ବାହାରେ ମଧ୍ୟ ସମ୍ପତି । ସମସ୍ତଙ୍କ ଘରେ ପୁଳା ପୁଳା ସୁନା। ନିଜ ନାଁରେ ଯେତିକି ଗାଡି ଅଛି ବେନାମୀ ଗାଡି ସଂଖ୍ୟା ତା’ଠାରୁ ଅଧିକ । ବ୍ୟାଙ୍କ ଲକ୍‌ର, ବୀମା, ଜମାରେ ଅମାପ ସମ୍ପତି ଠାବ ହୋଇଛି। ଏହି ସମସ୍ତ ଦୁର୍ନୀତିଖୋର ଅଧିକାରୀମାନେ ବିଜୁ ଜନତା ଦଳର ୨୪ବର୍ଷର ସରକାର ସମୟରେ ଦୁର୍ନୀତି କରିବାର ସୀମା ଲଘିଂଥିଲେ। ବିଜେପି ସରକାର ଓଡ଼ିଶାରେ ସରକାରୀ ଅର୍ଥ ଲୁଟିଥିବା କୌଣସି ମାଫିଆଙ୍କୁ ଛାଡିବ ନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ୫-ଟି ଅଧିନରେ ଯେତେ ପ୍ରକଳ୍ପ ହୋଇଛି ସବୁଠି ଏଭଳି କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି। ବିଜେଡି ସରକାର ସମୟରେ ବିଜେଡି ମନ୍ତ୍ରୀ ଓ ଅସାଧୁ ଅଫିସରମାନେ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ୍ କରୁଥିଲେ ଓ ନିଜର କମିଶନ ନେଇ ସେମାନଙ୍କୁ ସୁରକ୍ଷା ଦେଉଥିଲେ। ଆଗାମୀ ଦିନରେ ଆହୁରି ବଡ ବଡ ମାଛଙ୍କର ମୁଖା ଖୋଲିବ ବୋଲି କହିଛନ୍ତି ଶ୍ରୀ ବିଶ୍ବାଳ।

Leave A Reply

Your email address will not be published.