କନ୍ଧମାଳ-ରାୟଗଡ଼ା ସୀମାରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଖସି ପଳାଇଲେ ମାଓବାଦୀ
![](https://www.odishalink.com/wp-content/uploads/2024/08/IMAGE_1723637337-750x430.jpg)
ଓଏଲ୍ ବ୍ୟୁରୋ: ସ୍ବାଧୀନତା ଦିବସର ଦିନକ ପୂର୍ବରୁ କନ୍ଧମାଳ-ରାୟଗଡ଼ା ସୀମାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ। କନ୍ଧମାଳ-କଳାହାଣ୍ଡି ସୀମାରେ ବାଲିଗୁଡ଼ା ଥାନା ଅଞ୍ଚଳରେ ଥିବା ମାଣିକ ସାରୁ ପାହାଡ଼ରେ ଆଜି ଗୁଳିବିନିମୟ ହୋଇଥିବା ବେଳେ ନକ୍ସଲମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ସର୍ଚ୍ଚ ଅପରେସନ ବେଳେ ସେଠାରେ ଏକ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ଯାଞ୍ଚ ବେଳେ ସେଠାରୁ ଡେଟୋନେଟର ଓ ଅନ୍ୟାନ୍ୟ ଆଇଇଡି ସରଞ୍ଜାମ ଜବତ କରାଯାଇଛି।
ଆଜି ଦିନ ୧୨ଟା ୧୫ରେ ମୁହାଁମୁହିଁ ହୋଇଥିଲେ ପୁଲିସ୍ ଓ ନକ୍ସଲ। ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ସହିତ ମୁକାବିଲା ନକରିପାରି ନକ୍ସଲମାନେ ସେଠାରୁ ଫେରାର ହୋଇଯାଇଥିଲେ। ୪ରୁ୫ ଜଣ ସଶସ୍ତ୍ର ନକ୍ସଲ ଫେରାର ହୋଇଯାଇଥିଲେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ସୁରକ୍ଷାକର୍ମୀମାନେ ସେମାନଙ୍କର ପିଛା କରିଥିଲେ। ତେବେ ଘଞ୍ଚ ଜଙ୍ଗଲ ଓ ବର୍ଷାର ସୁଯୋଗ ନେଇ ନକ୍ସଲମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।