ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, କହିଲେ-ଓଡ଼ିଶାବାସୀ ସ୍ୱାଭିମାନୀ
ଓଏଲ୍ ବ୍ୟୁରୋ: ସାରା ଭାରତ ଆଜି ପାଳନ କରୁଛି ୭୮ ତମ ସ୍ବାଧୀନତା ଦିବସ। ସେଥିପାଇଁ ପଲ୍ଲୀରୁ ଦିଲ୍ଲୀ ଉତ୍ସବ ମୁଖର ହୋଇ ଉଠିଛି। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଭୁବନେଶ୍ବରର ମହାତ୍ମାଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଓଡ଼ିଶାବାସୀ ସ୍ୱାଭିମାନୀ। ସେମାନେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲେ। ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ।ମୁଁ ରାଜ୍ୟବାସୀଙ୍କୁ ବଡ଼ ସ୍ୱପ୍ନ ଦେଖାଇବିନି ହେଲେ ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବି। ଓଡ଼ିଶାର ଅର୍ଥନୀତିକୁ ଆହୁରି ବିକଶିତ କରିବାକୁ ହେବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଛୁ। ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା ହୋଇଛି। ସେପ୍ଟେମ୍ବର ୧୭ ତାରିଖରୁ ସୁଭଦ୍ରା ଯୋଜନା ଲାଗୁ ହେବ। ଖାଲି ପଡ଼ିଥିବା ଦେଢ଼ ଲକ୍ଷ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ। ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଭାରତର ସ୍ୱାଧୀନତା ସଂଗ୍ରାମ ହେଉଛି ଦେଶର ଅନନ୍ୟ ଅଧ୍ୟାୟ। ଏହା ଇଂରେଜମାନଙ୍କ ମୂଳଦୁଆ ଦୋହଲାଇ ଦେଇଥିଲା। ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଦେଶର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି। ଖୁବ୍ଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ। ୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବ ବୋଲି କହିଛନ୍ତି।