ମଧ୍ୟାହ୍ନ ଭୋଜ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ୬୦ ଜଣଙ୍କ ଚାଲିଛି ଚିକିତ୍ସା
ଓଏଲ୍ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲା ଜମେରା ୟୁଜିଏମ୍ଇ ସ୍କୁଲ୍ରେ ଅଭାବନୀୟ ଘଟଣା। ମଧ୍ୟାହ୍ନ ଭୋଜନରେ ମିଳିଲା ପଚା ଅଣ୍ଡା ତରକାରୀ। ତାହାକୁ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ । ପିଲାମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିଭାବକ।
ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ହୋଇଥିଲା। ସ୍କୁଲରେ ଆଜି ୧୩୨ ପିଲାଙ୍କ ଉପସ୍ଥାନ ପଡ଼ିଥିଲା। ପୂର୍ବାହ୍ନ ପ୍ରାୟ ୯ଟା ବେଳେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରୀ ଦିଆଯାଇଥିଲା।
ମାତ୍ର ଭୋଜନ ଖାଇ ସାରିବାର କିଛି ସମୟ ପରେ ପ୍ରାୟ ୬୦ ଛାତ୍ରଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ତୁରନ୍ତ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ି ଯୋଗେ ପ୍ରଥମେ ପିଲାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।