Odisha Link
Bridging the Missing Links in Odisha

ଡାକ୍ତରଙ୍କ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ: ରୋଗୀ ସେବା ବାଧାପ୍ରାପ୍ତ, କାର୍ଯ୍ୟକୁ ଫେରିବାକୁ ଅନୁରୋଧ କଲା କେନ୍ଦ୍ର

ଓଏଲ୍‌ ବ୍ୟୁରୋ: କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟ ମାମଲାରେ ଦିନକୁଦିନ ତୀବ୍ର ହେଉଛି ପ୍ରତିବାଦ। ମହିଳା ଡାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏଶନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବାବେଳେ କେନ୍ଦ୍ର ସରକାରଙ୍କ ଚେତା ପଶିଛି। ଡାକ୍ତର ଏବଂ ସେବିକାମାନଙ୍କ ସୁରକ୍ଷା ପ୍ରତି ସମସ୍ତ ପ୍ରକାର ପଦକ୍ଷେପ ନେବା ଲାଗି ତୁରନ୍ତ ଏକ କମିଟି ଗଠନ କରାଯିବ ବୋଲି ଶନିବାର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡା ଶନିବାର ଡାକ୍ତର ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ଫେଡେରେସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ, ଭାରତୀୟ ଚିକିତ୍ସକ ସଂଘ(ଆଇଏମଏ) ଏବଂ ସରକାରୀ ମେଡିକାଲ କଲେଜଗୁଡ଼ିକର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନର ପଦାଧିକାରୀମାନେ ରହିଥିଲେ।

ଖୁବଶୀଘ୍ର ଏକ କମିଟି ଗଠନ କରାଯାଇ ଡାକ୍ତର ଏବଂ ସେବିକାମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବ। କମିଟି ସମସ୍ତ ସଂଗଠନର ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରି ଏ ଦିଗରେ ସେମାନଙ୍କ ମତାମତ ଏବଂ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନଡ୍ଡା ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରାଯାଇଛି।

ଅନ୍ୟପଟେ ଡାକ୍ତରଖାନାଗୁଡ଼ିକୁ ନିରାପଦ ଅଞ୍ଚଳ(ସେଫ୍‌ ଜୋନ) ଭାବେ ଘୋଷଣା କରାଯାଉ ବୋଲି ଡାକ୍ତର ସଂଘ ଦାବି କରିଛି। ସମସ୍ତ ଡାକ୍ତରଖାନାର ନିରାପତ୍ତା ପ୍ରୋଟୋକଲ କୌଣସି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାଠାରୁ କମ୍ ନ ହେଉ। ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଯିବା ସହିତ ସୁରକ୍ଷାକର୍ମୀ ମୁତୟନ ପାଇଁ ଦାବି କରାଯାଇଛି।

ସୂଚନାଥାଉକି, ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ ଆନ୍ଦୋଳନ କରାଯାଉଛି। ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏମର୍ଜେନ୍ସି ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଆହ୍ବାନ ଦିଆଯାଇଛି। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ଓଡ଼ିଶା ସମେତ ବି ଗୁଜରାଟ, କେରଳ, କର୍ଣ୍ଣାଟକା ସମେତ ଦେଶର ସବୁ ସହରରେ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି।

Leave A Reply

Your email address will not be published.