ଡାକ୍ତର ସଂଘ ସହ ଆଲୋଚନା କରିବେ ସରକାର: ସ୍ବାସ୍ଥ୍ୟ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟ ମାମଲାରେ ଦିନକୁଦିନ ତୀବ୍ର ହେଉଛି ପ୍ରତିବାଦ। ମହିଳା ଡାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏଶନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଡାକ୍ତରଙ୍କ ଧର୍ମଘଟ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ଓଡ଼ିଶାରେ ଡାକ୍ତର ମାନେ ଯେଉଁ ପ୍ରତିବାଦ କରୁଛନ୍ତି ତା ଉପରେ ବିଭାଗ ନଜର ରଖିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଡାକ୍ତର ସଂଘ ସହିତ ସରକାର ଆଲୋଚନା କରିବେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଡାକ୍ତର ସମ୍ପର୍ଣ୍ଣ ସୁରକ୍ଷିତ। ପଶ୍ଚିମବଙ୍ଗରେ ଯାହା ବି ଘଟଣା ଘଟିଛି ତାକୁ ପରିଚାଳନା କରିବାରେ ପଶ୍ଚିମବଙ୍ଗ ସରକାର ବିଫଳ।
ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ ଆନ୍ଦୋଳନ କରାଯାଉଛି। ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏମର୍ଜେନ୍ସି ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଆହ୍ବାନ ଦିଆଯାଇଛି। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ଓଡ଼ିଶା ସମେତ ବି ଗୁଜରାଟ, କେରଳ, କର୍ଣ୍ଣାଟକା ସମେତ ଦେଶର ସବୁ ସହରରେ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି।
ଧୀରେ ଧୀରେ ସ୍ଥିତି ବେକାବୁ ହେଉଥିବାରୁ କେନ୍ଦ୍ରୀୟ ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ସିବିଆଇ ଏହି ଘଟଣାର ଯାଞ୍ଚ କରୁଛି। ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ। ଅପରାଧ ସ୍ଥଳରେ ଥିବା ପ୍ରମାଣ ନଷ୍ଟ କରାଯାଇ ନ ଥିଲେ ସିବିଆଇ ଠିକ୍ ଭାବେ ଯାଞ୍ଚ କରି ପ୍ରକୃତ ଦୋଷୀ ନିକଟରେ ପହଞ୍ଚିବ ବୋଲି ଆଶା କରୁଛୁ।