ଗୃହରେ ହଙ୍ଗାମା କଲେ ନ୍ୟୁଜରେ ରହିବ, କ୍ୟାରିଅର ହେବନି : କିରଣ ରିଜଜୁ
ଓଏଲ୍ ବ୍ୟୁରୋ: ଆଜିଠୁ ୨ ଦିନିଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ହେବ ଏହି ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଯୋଗ ଦେଇଛନ୍ତି। ବିଧାୟକଙ୍କୁ ପାଠ ପଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ।
ବିଧାୟକଙ୍କୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ବିଧାନସଭା ହେଉଛି ପବିତ୍ର ଗୃହ। ଏହି ଗୃହରୁ ସମସ୍ତେ ସଂସ୍କାର ଶିଖିବା ଆବଶ୍ୟକ। ଗୃହରେ ହଙ୍ଗାମା ନକରି ଭଲ ବ୍ୟବହାର କର। ଆଗକୁ ଯିବାକୁ ଅଛି ତ ଭଲ ପ୍ରଦର୍ଶନ କରିବା ଆବଶ୍ୟକ। ଯଦି ଗୃହରେ ହଙ୍ଗାମା କଲେ ନ୍ୟୁଜରେ ରହିବ, କ୍ୟାରିଅର ହେବନି ବୋଲି ବିଧାୟକଙ୍କୁ କହିଛନ୍ତି କିରଣ ରିଜଜୁ।
ଅନ୍ୟପଟେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ବୟକଟ୍ କରିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।ଗୃହର ଗରିମା ନଷ୍ଟ ହେଉଥିବା ଦର୍ଶାଇ ଏଥିରେ ବିଜେଡି ସଦସ୍ୟ ଭାଗ ନେବେ ନାହିଁ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୂର୍ବରୁ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ନ ଆସିବାକୁ ଘୋଷଣା କରିଥିଳା।
ଅପରପକ୍ଷେ ବିଜୁ ଜନତା ଦଳ କରିବ ପ୍ରଶିକ୍ଷଣ ଶିବିର। ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି, ବିଜୁ ଜନତା ଦଳ ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ ଶିବିର କରାଯିବ। ଅଗଷ୍ଟ ୨୫ ତାରିଖରେ ପ୍ରଶିକ୍ଷଣ ଆମ ଦଳ ପକ୍ଷରୁ କରଯାିବ। ଶଙ୍ଖ ଭବନରେ ଆୟୋଜିତ ହେବ ଶିବିର। ଏହି କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକଙ୍କୁ ତାଲିମ ଦିଆଯିବ। ଦଳର ବରିଷ୍ଠ ନେତା ମାନେ ପ୍ରଶିକ୍ଷଣ ଦେବେ। ଆଜି ବିଧାନସଭାରେ ଆୟୋଜିତ ହୋଇଥିବା ବିଧାୟକଙ୍କ ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ଆମେ ବର୍ଜନ କରିଛୁ ବୋଲି ପ୍ରତାପ ଦେବ କହିଛନ୍ତି।