Odisha Link
Bridging the Missing Links in Odisha

ସିମ୍ ବକ୍ସ ଜବତ ଘଟଣା: ପୁଲିସ୍‌ କମିଶନର କଲେ ବଡ଼ ଖୁଲାସା

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ଲକ୍ଷ୍ମୀ ସାଗରରୁ ସିମ୍‌ ବକ୍ସ ଜବତ ଘଟଣାରେ ରହିଛି ଦେଶ ବାହାର ଲିଙ୍କ୍। ଆଜି ଗଣମାଧ୍ୟମ ସମ୍ମୁଖରେ ସାଂଘାତିକ ଖୁଲାସା କରିଛନ୍ତି ଭୁବନେଶ୍ୱର ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା। ସେ କହିଛନ୍ତି, ସିମ୍‌ ବକ୍ସ ଜରିଆରେ ଦୁର୍ବୁତ୍ତ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ ଆସୁଥିବା କଲ୍‌କୁ ପରିବର୍ତ୍ତନ କରାଯାଇ ଭାରତ ଭିତରକୁ ଛଡ଼ା ଯାଉଥିଲା। ସାଇବର ଫ୍ରଡ୍, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା।

ଗତକାଲି ହୋଇଥିବା ଚଢ଼ାଉରେ ୫ଟି ଅପରେସନାଲ ସିମ୍ ବକ୍ସ ମିଳିଥିଲା। ପ୍ରାୟ ୧ ହଜାର ସିମ୍ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ଅଛି। ଏହି ମାମଲାରେ ଗତକାଲି ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ କରାଯାଇଛି। ମାତ୍ର ଏହି ପୂରା ମାମଲାର ମାଷ୍ଟର ମାଇଣ୍ଡ ହେଉଛି ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ । ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି।

ସେ କହିଛନ୍ତି, ଏହି ସିମ୍‌ ବକ୍ସ ଜରିଆରେ ଅପରାଧୀ କେଉଁ ଦେଶରୁ କଲ୍‌ କରିଛି, ତାହା ଜଣାପଡ଼ିବନି। ବାହାର ଦେଶରୁ କଲ୍‌ ଆସିଲେ ବି ଲୋକାଲ ସିମ୍‌ ଜରିଆରେ ଆସିବ । ବାହାର ଦେଶର ଅପରାଧୀ ଭାରତରେ ଅପରାଧ ଘଟାଇବା ନିମନ୍ତେ ଏହାକୁ ବ୍ୟବହାର କରିଥାନ୍ତି। ଆତଙ୍କବାଦୀ, ସାଇବର ଫ୍ରଡ, ଡ୍ରଗ୍ସ ଚାଲାଣ ନିମନ୍ତେ ଏହାକୁ ବ୍ୟବହାର କରାଯାଇଥାଏ।

ସୂଚନାଥାଉକି, ଭୁବନେଶ୍ୱରରେ ବିଦେଶୀ ସିମ୍‌ ବକ୍ସ ରଖି ଅପରାଧିକ କାର୍ଯ୍ୟକଳାପ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗତକାଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଳ ସ୍କ୍ୱାର୍ଡକୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘରେ ଗୋଟିଏ ରାକ୍‌ରେ ୭ଟି ସିମ୍‌ ବକ୍ସ ଥିବା ଦେଖିବାକୁ ମିଳିଥିଲା। ସିମ୍‌ ବକ୍ସ ଗୁଡ଼ିକରେ ଇଣ୍ଟରନେଟ୍‌ କନେକ୍ସନ ଓ ପାୱାର ସପ୍ଲାଏ ବି ରହିଥିଲା। ଏହି ଘଟଣାରେ ରାଜୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବା ବେଳେ ପୁଲିସ୍‌ ତାଙ୍କୁ ଅଟକ ରଖିଥିଲା। ଏହାପରେ ଆଜି ପୁଲିସ୍‌ ତାଙ୍କୁ ବାନ୍ଧିଛି।

Leave A Reply

Your email address will not be published.