ରାଜ୍ୟସଭା ଉପନିର୍ବାଚନ: ସାମ୍ନାକୁ ଆସିଲା ବିଜେପି ପ୍ରାର୍ଥୀଙ୍କ ନାମ, ପ୍ରଭାରୀ ଦେଲେ ବଡ଼ ସୂଚନା
ଓଏଲ୍ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା। କିଏ ଓଡ଼ିଶାରୁ ରାଜ୍ୟସଭା ଯିବ ? ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଗଣମାଧ୍ୟମକୁ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି ଦଳ ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ।
ବିଜୟ ପାଲ ସିଂ ତୋମାରଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବେ। ଏନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କେନ୍ଦ୍ରୀୟ କମିଟି ପକ୍ଷରୁ ତାଙ୍କର ନାମ ଘୋଷଣା ହେବ। ଅନ୍ୟପଟେ ରାଜ୍ୟସଭା ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମମତା ମହନ୍ତ।
ସେ କହିଛନ୍ତି, ରାଜ୍ୟସଭା ଉପନିର୍ବାଚନ ପାଇଁ ଏଯାଏଁ ମୋ ସହିତ କେହି ଆଲୋଚନା କରିନାହାନ୍ତି। ଦଳ ଯଦି ମତେ ରାଜ୍ୟସଭାକୁ ପଠାଏ ନିଶ୍ଚିତ ଯିବି। ଦଳ ଯେଉଁ ନିଷ୍ପତ୍ତି ନେବ ତାକୁ ଗ୍ରହଣ କରିବି ବୋଲି କହିଛନ୍ତି ମମତା ମହନ୍ତ।
ସୂଚନାଥାଉକି, ମମତା ମହନ୍ତ ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ। ହେଲେ ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିକୁ ମଧ୍ୟ ବାଏ ବାଏ କହିଥିଲେ। ଏହାପରେ ଦିଲ୍ଲୀରେ ସେ ବିଜେପିରେ ସାମିଲ ହେଇଥିଲେ। ଆଉ ସେବେଠୁ ଖାଲି ପଡିଥିବା ଏହି ରାଜ୍ୟସଭା ଆସନରେ କିଏ ଓଡ଼ିଶାରୁ ରାଜ୍ୟସଭାକୁ ଯିବ ତାକୁ ନେଇ ଚର୍ଚ୍ଚା ବଢିଥିଲା।