ଆଇସିସି ସିଂହାସନ ଉପରେ ହେବ ଭାରତର ରାଜ, ଜୟ ଶାହ ହେବେ ନୂଆ ଅଧ୍ୟକ୍ଷ
ଓଏଲ୍ ବ୍ୟୁରୋ: ବିଶ୍ବ କ୍ରିକେଟରେ ରାଜ କରିବାକୁ ଯାଉଛି ଭାରତ। ଆଇସିସି ସିଂହାସନ ଉପରେ ହେବ ଭାରତର ରାଜ। କାରଣ ଆଇସିସିର ନୂଆ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାର ଠିକ୍ ପୂର୍ବରୁ, ମଙ୍ଗଳବାର ଦିନ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବା ଦୌଡ଼ରୁ ନିଜକୁ ବାଦ ଦେଇଥିଲେ। ଗ୍ରେଗ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ନଥିବାରୁ ଏବେ ବିସିସିଆଇ ସଚିବ ଜୟ ଶାହା ଏହି ପଦବୀ ସମ୍ଭାଳିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ଦାୟିତ୍ୱ ନେଇପାରନ୍ତି।
ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ଆଇସିସି ଅଧ୍ୟକ୍ଷ ହେବାକୁ ସେ ନିଜ ଆଡ଼ୁ ମନା କରି ଦେଇ ଥିବାରୁ ଜୟ ଶାହଙ୍କ ନାମ ଚର୍ଚ୍ଚାରେ ରହିଛି। ସେପଟେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଜୟ ଶାହଙ୍କୁ ସମର୍ଥନ ଜଣାଇଛନ୍ତି। ଫଳରେ ଜୟ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।
ନୂଆ ଅଧ୍ୟକ୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ନିର୍ବାଚନ କରିବାକୁ ପଡ଼ିବ। ଯଦି ଏକାଧିକ ବ୍ୟକ୍ତି ନାମାଙ୍କନ ଦାଖଲ କରନ୍ତି, ତେବେ ନିଶ୍ଚିତ ରୂପେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ଅଗଷ୍ଟ ୨୭ ରହିଛି। ନିୟମ ଅନୁସାରେ, ପୂର୍ବରୁ ଅଧ୍ୟକ୍ଷ ହେବାକୁ ହେଲେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ ବିଜୟ ହେବା ପାଇଁ ପ୍ରାର୍ଥୀଙ୍କୁ ନଅଟି ଭୋଟ୍ ଅର୍ଥାତ୍ ୫୧% ସମର୍ଥନ ସହ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ଯଦି ଜୟ ଶାହ ଏଥିପାଇଁ ନାମାଙ୍କନ ଭରନ୍ତି, ତେବେ ସେ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଭୋଟ୍ ଦେବାକୁ ଥିବା ୧୬ ଜଣ ସଦସ୍ୟଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି।