Odisha Link
Bridging the Missing Links in Odisha

ଫେବ୍ରୁଆରୀ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା, ବଦଳିଲା ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା

ଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ୨୦୨୫ ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା।

ସେ କହିଛନ୍ତି, ଏଥର ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। ଏଣିକି ୮୦ମାର୍କରୁ ୨୪ ମାର୍କ ରଖିଲେ ପାସ୍। ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଥିବା ବେଳେ ଆଉ ପ୍ରଶ୍ନପତ୍ରରେ ଆସିବନି ଦର୍ଶ ମାର୍କ ବିଶିଷ୍ଟ ପ୍ରଶ୍ନ। ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

ନୂଆ ଢାଞ୍ଚା ଅନୁଯାୟୀ ଏଣିକି ବାର୍ଷିକ ପରୀକ୍ଷାରେ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ। ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ କରିବେ, ନହେଲେ ଫେଲ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରୀ ମାର୍କ ସହ ଏହାକୁ ମିଶାଇ ପାସ୍ ବୋଲି ଗଣାଯିବ ନାହିଁ।

ସୂଚନାନୁଯାୟୀ, ଫେବ୍ରୁଆରୀ ୧୫ ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାକ୍ଟିକାଲ ପରୀକ୍ଷା ଏବଂ ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ଶେଷ ହେବ। ତେବେ ୨୦୨୫ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ ସିଏଚ୍‌ଏସ୍‌ଇ ଯୋଜନା ରଖିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଶେଷ ହୋଇ ନ ଥିବାରୁ ଏହାକୁ ଆଉ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ।

Leave A Reply

Your email address will not be published.