୬ଟି ବ୍ଲକ୍ରେ ହେଉଛି ଉପ-ନିର୍ବାଚନ, ବିଜେପି-ବିଜେଡି ମୁହାଁମୁହିଁ
ଓଏଲ୍ ବ୍ୟୁରୋ: ସାଧାରଣ ନିର୍ବାଚନର ଅଢ଼େଇ ମାସ ପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି-ବିଜେପି। ରାଜ୍ୟର ୬ଟି ବ୍ଲକରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ଉପନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଏବେ ସ୍ଥିତି ବଦଳିଛି। ତେଣୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ। ୨୪ ପଟ୍ଟପରିବର୍ତ୍ତନ ପରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି।
ଏହି ନିର୍ବାଚନ ବିଜେଡି ପାଇଁ ଅଗ୍ନି ପରୀକ୍ଷା ସଦୃଶ ଥିବା ବେଳେ ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ୫ଟି ବ୍ଲକ ଅଧ୍ୟକ୍ଷ ଆଉ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ଏହାବ୍ୟତୀତ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ବି ହେବ ଉପନିର୍ବାଚନ।
ଗଞ୍ଜାମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଅଧ୍ୟକ୍ଷଙ୍କ ମୃତ୍ୟୁ ପରେ ଏଠି ଉପନିର୍ବାଚନ ହେବାକୁ ଯାଉଛି। କୁହାଯାଉଛି ଏଠାକାର ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ବିଜେପି ସମର୍ଥନରେ ରହିଛନ୍ତି। ତେଣୁ ଏଠାରେ ବିଜେପି ବାଜି ମାରିପାରେ। କିନ୍ତୁ ଖଲ୍ଲିକୋଟ୍ ବ୍ଲକରେ ଛକାପଞ୍ଝା ସ୍ଥିତି।
ଅନ୍ୟପଟେ କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଆଉ ନୟାଗଡ଼ର ଭାପୁର ବ୍ଲକରେ ବି ସ୍ଥିତି ସମାନ। ଉପନିର୍ବାଚନ ହେବାକୁ ଥିବା ଏହି ୩ ବ୍ଲକରେ କିଏ ବାଜି ମାରିବ କହିବା ମୁସ୍କିଲ। ନର୍ଲା ବ୍ଲକ୍ ବିଜେଡି ପାଖରେ ରହିଥିଲା କିନ୍ତୁ ଏବେ ସ୍ଥିତି ବଦଳିଛି। ସେହିପରି ରାଇଘରରେ ନବୀନା ନାୟକଙ୍କ ଇସ୍ତଫା ପରେ ୨୬ ସମିତି ସଭ୍ୟଙ୍କ ମଧ୍ୟରୁ ୧୮ଟି ବିଜେଡି ୬ ବିଜେପି ପାଖରେ ରହିଛି।