ଚିକିଟି ମଦମୃତ୍ୟୁ ମାମଲା: କାର୍ଯ୍ୟାନୁଷ୍ଠାନ ନେଇ ମନ୍ତ୍ରୀ କହିଲେ…

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ ଆରମ୍ଭରୁ ଗୃହରେ ହୋହଲ୍ଲା। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଆରମ୍ଭରୁ ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ଚିକିଟି ମଦମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରି ଗୃହର ମଧ୍ୟ ଭାଗରେ ଆସି ହୋହାଲ୍ଲା କରିଥିଲେ। ଏହା ପରେ ଚିକିଟି ମଦମୃତ୍ୟୁ ମାମଲାରେ ଗୃହରେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି।
ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି, ୨ ଜଣ ଅଟକ ଅଛନ୍ତି। ୩ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମଦ ସାମ୍ପଲ ଓ ମୃତକଙ୍କ ଭିସେରା ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।