ଏସ୍ସିବି ମେଡିକାଲରେ ଦୁଷ୍କର୍ମ ଘଟଣା: ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର ପାଇଁ ସରକାରଙ୍କ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: କଟକ ଏସ୍ସିବି ମେଡିକାଲ କଲେଜରେ ଇସିଜି ନାଁରେ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ଡାକ୍ତର ଠାକୁର ଦିଲବାଗ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସ୍ସିବି ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ଏ ସମ୍ପର୍କରେ ଡିଏମ୍ଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଠିତ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲା। ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇଥିଲା, ଯେଉଁଥିରେ ତାଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିଛି। ସେହି ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷଙ୍କୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଚଳିତ ମାସ ପ୍ରଥମ ସପ୍ତାହରେ ଏସ୍ସିବି ମେଡିକାଲ କଲେଜରେ ଦୁଇ ଜଣ ମହିଳାଙ୍କୁ ଡାକ୍ତର ଦିଲବାଗ ଦୁଷ୍କର୍ମ କରିଥିବା ନେଇ ୧୩ ତାରିଖ ଦିନ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଗିରଫ ହୋଇଥିବା ଡାକ୍ତର ଠାକୁର ଦିଲବାଗ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସ୍ସିବି ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି।