ରାଜ୍ୟରେ ବଢୁଛି ବେରୋଜଗାର ସଂଖ୍ୟା, ଗାଁ ଠାରୁ ସହରରେ ଅଧିକ ବେକାରୀ
![](https://www.odishalink.com/wp-content/uploads/2024/08/UNEMP.jpg)
ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଚତୁର୍ଥ ଦିନ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଆରମ୍ଭରୁ ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପରେ ଗୃହ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ଜାତୀୟସ୍ତରଠାରୁ ଓଡ଼ିଶାର ବେକାରୀ ହାର ଅଧିକ। ଜାତୀୟସ୍ତରରେ ୩.୨ ପ୍ରତିଶତ ହୋଇଥିବାବେଳେ ଓଡ଼ିଶାରେ ବେକାରୀ ହାର ୩.୯ ପ୍ରତିଶତ ଛୁଇଁଛି।
ଏହି ତାଲିକାରେ ଦେଶର ୨୧ନଂରେ ଓଡ଼ିଶା ରହିଥିବାବେଳେ ସହରାଞ୍ଚଳ ସ୍ଥିତି ଅଧିକ ସଙ୍ଗୀନ ହୋଇପଡିଛି। ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ହୋଇଥିବାବେଳେ ସହରାଞ୍ଚଳରେ ୬.୨ ପ୍ରତିଶତ ଛୁଇଁଛି। ୧୧ ଲକ୍ଷ ୪ ହଜାର ୨୩୭ ଜଣ ପଞ୍ଜୀକରଣ କରିଛନ୍ତି। ୧୦ ବର୍ଷରେ ମାତ୍ର ୮୪୦୧ ଜଣ ନିଯୁକ୍ତି ପାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ବାଇଁ ଗୃହରେ ଉତ୍ତର ରଖିଛନ୍ତି।