ସମ୍ବଲପୁର: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ
ଓଏଲ୍ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଅଘଟଣ। ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଘଟିଛି ଅଘଟଣା। ଶ୍ବାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଆଜି ୪ ଶ୍ରମିକ ପୁକୁଡ଼ା ଗାଁରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳିବା କାମରେ ନିୟୋଜିତ ଥିଲେ। ମାତ୍ର କିଛି ସମୟ ପରେ ହଠାତ୍ ସମସ୍ତେ ଅଣନିଶ୍ୱାସୀ ହୋଇ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ୪ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।