ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସ୍ଆଇ ଟିମ୍, ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ଏଏସ୍ଆଇ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବ। ତେବେ ଏହା ପୂର୍ବରୁ ପରିଚାଳନା କମିଟିର ନିଷ୍ପତ୍ତି ପ୍ରକାରେ ଏଏସ୍ଆଇ ଦ୍ବାରା ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରାଯିବାକୁ ଏଏସ୍ଆଇକୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିବାବେଳେ ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ପଷ୍ଟ ଭାବେ ପତ୍ରରେ ଉଲ୍ଲେଖ କରାଯାଇଛି।ଏଥିସହ ସାମଗ୍ରିକ ବୈଷୟିକ ସର୍ଭେ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା ମଧ୍ୟ ଏଏସ୍ଆଇ ନିକଟକୁ ପଠାଯାଇଛିl
ଏହି ବୈଷୟିକ ଯାଂଚ IIT ଏବଂ CBRI ଭଳି ଉଚ୍ଚମାନର ଅନୁଷ୍ଠାନ ମାନଂକ ଦ୍ବାରା କରାଯିବାକୁ ଏଏସ୍ଆଇକୁ ପରାମର୍ଶ ଦିଆଯାଇଛି। ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଏବଂ ମରାମତି କାମ ହାତକୁ ନେବାକୁ ଏଏସ୍ଆଇକୁ ଅନୁରୋଧ କରାଯାଇଛି, ଯାହାଫଳରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତି ମଣତି କରାଯାଇ ପୁଣି ଥରେ ମୂଳ ରତ୍ନଭଣ୍ଡାରକୁ ସେସବୁକୁ ଫେରାଇ ଅଣାଯାଇ ସୁରକ୍ଷିତ ରଖାଯିବ ବୋଲି ମୁଖ୍ଯ ପ୍ରଶାସକ ଚିଠିରେ ଅନୁରୋଧ କରିଛନ୍ତି।