ଅସ୍ତିତ୍ୱ ହରାଉଛି ଗୋବରୀ ନଦୀ, ପ୍ରତିଦିନ ଜଳରେ ଭାସୁଛି କୁଢ଼ କୁଢ଼ ଅଳିଆ
ଓଏଲ୍ ବ୍ୟୁରୋ: ଦିନ ଥିଲା ଗୋବରୀ ନଦୀ ପାଇଁ ୯ ପଞ୍ଚାୟତ ଶସ୍ୟ ଶ୍ୟାମଳା ହେଉଥିଲା। ଅନେକ ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଗୋବରୀ ନଦୀ। ଏଥିଯୋଗୁ ଲୋକେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଉଥିଲେ। ହେଲେ ସମୟ ବଦଳିବା ସାଙ୍ଗକୁ ନଦୀର ନକ୍ସା ବି ବଦଳି ଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ୫ ପଞ୍ଚାୟତ ଓ ପୌରାଞ୍ଚଳ ଦେଇ ଯାଇଥିବା ଏହି ନଦୀ ଏବେ ବିଭିନ୍ନ ସ୍ଥାନରେ ପୋତି ହୋଇପଡ଼ିଥିବା ବେଳେ ଦଳ ଓ ଘାସରେ ପରିପୂର୍ଣ୍ଣ। ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦ୍ରାପଡ଼ା ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଗୋବରୀ ନଦୀ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। ପ୍ରତିଦିନ ସହରର ନର୍ଦ୍ଦମା ପାଣି ନଦୀରେ ମିଶୁଛି। ବର୍ଷ ବର୍ଷ ଧରି ଗୋବରୀ ଉପରେ ଏହି ଭଳି ଅତ୍ୟାଚାର ଚାଲିଛି। ନା ପ୍ରଦୂଷଣ ବିଭାଗ ଆପତି ଉଠାଉଛି ନା’ ପୌରପାଳିକା ନଦୀରେ ନର୍ଦ୍ଦମା ଜଳ ମିଶାଇବା ବନ୍ଦ କରୁଛି। ଅତୀତରେ କେନ୍ଦ୍ରାପଡା଼ ପୌରପାଳିକାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ ( ଏନ୍ଜିଟି) ଖୁବ୍ ବର୍ଷିଥିଲେ। ଗୋବରୀକୁ ଡ୍ରେନ୍ ପାଣି ଛାଡିବା ଆଉ ବର୍ଜ୍ୟବସ୍ତୁ ପକାଇବା ମାମଲାରେ ପ୍ରତି ମାସରେ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ବେଳାକୁ ପୌରପାଳିକାକୁ ନିର୍ଦେଶ ହୋଇଥିଲା।
ଖୋଦ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପୃଥକ ଦୁଇଟି ସତ୍ୟପାଠରେ ମାନିଥିଲେ ଯେ ସହରର ପାଞ୍ଚଟି ସ୍ଥାନରେ ନର୍ଦମା ପାଣି ଗୋବରୀରେ ମିଶୁଛି। ଏହାପରେ ବି ସୁଧୁରିଲାନି ପୌରପାଳିକା। ଅଙ୍କୁଶ ଲାଗିବା ପରିବର୍ତ୍ତେ ଦିନକୁ ଦିନ ଗୋବରୀ ପ୍ରତି ଅବହେଳା ଓ ଅତ୍ୟାଚାର ବଢ଼ିବାରେ ଲାଗିଛି। ମହିପାଳ, ନୂଆ ବସଷ୍ଟାଣ୍ଡ, ବାଲାବାବା ମଠ, ପୁରୁଣା ବସଷ୍ଟାଣ୍ଡ , ରଣପଡ଼ା ଆଦି ସ୍ଥାନରେ ଡ୍ରେନ୍ ପାଣି ସିଧା ଗୋବରୀରେ ମିଶୁଥିବା ଦେଖୀବାକୁ ମିଳୁଛି। ଏପରିକି ପୌରପାଳିକାର ଡମ୍ପିଂୟାର୍ଡ଼ ରହିଥିବା ହଜାରୀବଗିଚାଠୁ ନେଇ ନଦୀକୂଳରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଖୁଲମଖୁଲା ଫିଙ୍ଗା ଚାଲିଛି। ଯାହା ଏବେ ପୁଣି ଚିନ୍ତାର ବିଷୟ ପାଲଟିଛି।