Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ପିଡିପି ଇସ୍ତାହାରରେ ପୁରୁଣା ପେନସନ୍‌, ମାଗଣା ବିଜୁଳି

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଗୁଲ। ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ କଶ୍ମୀରର ୯୦ଟି ଆସନରେ ମତଦାନ। ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୫ରେ ଦ୍ବିତୀୟ ଓ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଫଳାଫଳ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ। ରାଜନୈତିକ ବୈତରଣୀ ପାର କରିବା ପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପିଲ୍ସ ଡେମେକ୍ରଟିକ ପାର୍ଟିର ମୁଖିଆ ମେହବୁବା ମୁଫତି।

ଆଜି ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ମଧ୍ୟରେ ହୋଇଥିବା ଗଠବନ୍ଧନକୁ ଟାର୍ଗେଟ କରି ମେହବୁବା ମୁଫତି କହିଛନ୍ତି, ଦୁଇ ଦଳର ଏଜେଣ୍ଟା ନାହିଁ। କେବଳ ସିଟ୍‌ ଭାଗ ବାଣ୍ଟିବା ଛଡ଼ା ଆଉ କିଛି ଜଣାନାହିଁ। ଏଥିସହିତ ଆଜି ପିଡିପିର ଇସ୍ତାହାର ପତ୍ର ଘୋଷଣା କରିଛନ୍ତି ମେହବୁବା ମୁଫତି।

ମେହବୁବା ମୁଫତି ଇସ୍ତାହାରରେ ଘୋଷଣା କରିଛନ୍ତି ଯେ ଯଦି ଆମେ କ୍ଷମତାକୁ ଆସିବୁ, ତା’ହେଲେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ମିଳିବ। ଏହା ସହିତ ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ହେବ। ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସମ୍ମାନ ବୃଦ୍ଧି ପାଇଁ ପିଡିପି ସରକାର ପଦକ୍ଷେପ ଗ୍ରହଣ କରିବ। ଜେଲରେ ଥିବା ଲୋକଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯିବ। ମନ୍ଦିର, ମସଜିଦ ଓ ଗୁରୁଦ୍ୱାରଗୁଡ଼ିକୁ ମାଗଣା ବିଦ୍ୟୁତ୍ ଦିଆଯିବ। ଲୋକଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ମାଗଣାରେ ପିଡିପି ସରକାର ଦେବେ।

ସେ ଆହୁରି କହିଛନ୍ତି, ଉପତ୍ୟକାରେ ସରକାର ଗଠନ ଅପେକ୍ଷା କଶ୍ମୀର ସମସ୍ୟାର ସମାଧାନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ଆମ ନିର୍ବାଚନ ଇସ୍ତାହାରକୁ ସମର୍ଥନ କରନ୍ତି ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ମୁଁ ସେମାନଙ୍କ ପାଇଁ ସମସ୍ତ ସିଟ୍ ଛାଡ଼ିଦେବି।

ସୂଚନାଥାଉକି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଗଷ୍ଟ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାବେଳେ ନାମ ପ୍ରତ୍ୟହାର କରିବାର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଛି। ମତାଦନ ସେପ୍ଟମ୍ବର ୧୮ ତାରିଖରେ ଅନୁଷ୍ଠିତ ହେବ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଗଷ୍ଟ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୯ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ନାମାଙ୍କନ ପ୍ରତ୍ୟହାର କରିବାର ଶେଷ ଦିନ ରହିଛି। ସେପ୍ଟେମ୍ବର ୨୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସେପ୍ଟେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୧୨ ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିଛି। ୧୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟହାର କରିବାର ଶେଷ ତାରିଖ ରହିଛି। ଅକ୍ଟୋବର ୧ ତାରିଖରେ ନିର୍ବାଚନ ହେବ। ସେହିପରି ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଜମ୍ମୁ କଶ୍ମୀରର ୯୦ଟି ଆସନ ମଧ୍ୟରୁ ୭୪ଟି ସାଧାରଣ, ୭ଟି ଏସ୍‌ସି ଓ ୯ଟି ଏସ୍‌ଟି ଆସନ ରହିଛି। ଜମ୍ମୁ କଶ୍ମୀରର ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୮୭.୦୯ ଲକ୍ଷ। ସେ ମଧ୍ୟରୁ ୪୪.୪୬ ଲକ୍ଷ ଭୋଟର ପୁରୁଷ ହୋଇଥିବା ବେଳେ ୪୨.୬୨ ଲକ୍ଷ ଭୋଟର ମହିଳା। ପ୍ରଥମ ଥର ପାଇଁ ୩.୭୧ ଲକ୍ଷ ଭୋଟର ମତଦାନ ଦେବେ। ସବୁଠୁ ବଡ଼କଥା ହେଲା ୨୦.୭ ଲକ୍ଷ ଯୁବ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ।

Leave A Reply

Your email address will not be published.