Odisha Link
Bridging the Missing Links in Odisha

ଶିଖର ଧଓ୍ୱନଙ୍କ କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ, ୧ ମିନିଟ୍‌ ୧୭ ସେକେଣ୍ଡ ଭିଡିଓରେ କହିଦେଲେ ବଡ଼ କଥା…

ଓଏଲ୍‌ ବ୍ୟୁରୋ: ୧୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କ୍ରିକେଟରୁ ସନ୍ନ୍ୟାସ ନେଲେ ବିଶ୍ବ କ୍ରିକେଟର ଗବ୍ବର ତଥା ଭାରତୀୟ କ୍ରିକେଟ୍‌ ଟିମର ଷ୍ଟାର ଓପନର ଶିଖର ଧଓ୍ବନ। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ଶିଖର ଧଓ୍ବନ ପ୍ରଥମେ ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦଳରେ ସାମିଲ ହୋଇଥିଲେ। ୨୦୨୨ ମସିହାରେ ବାଂଲାଦେଶ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ ଶିଖର ଧଓ୍ବନ। ସେବେଠୁ ଆଉ ସେ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ।

ଏକ ମିନିଟ୍‌ ୧୭ ସେକେଣ୍ଡର ଭିଡିଓରେ ଶିଖର ଧଓ୍ବନ ପିଲାବେଳର ଦୁଇ କୋଚ୍‌ଙ୍କ ନାମ ନେଇଛନ୍ତି। ଭିଡିଓରେ ଶିଖର ଧଓ୍ବନ କହିଛନ୍ତି, ନମସ୍କାର! ଆଜି ମୁଁ ଏପରି ଏକ ସମୟରେ ଛିଡ଼ା ହୋଇଛି, ଯେଉଁଠୁ ପଛକୁ ବୁଲିଲା ବେଳକୁ କେବଳ ସ୍ମୃତି ହିଁ ନଜର ଆସୁଛି ଓ ଆଗକୁ ଚାହିଁଲା ବେଳକୁ ପୁରା ଦୁନିଆ ଦେଖାଯାଉଛି। ମୋର ସର୍ବଦା ଗୋଟିଏ ସ୍ବପ୍ନ ଥିଲା, ଭାରତ ପାଇଁ ଖେଳିବା। ଯାହା ଏବେ ପୂରଣ ହୋଇଛି। ଏଥିପାଇଁ ମୁଁ ଅନେକଙ୍କୁ ସାଧୁବାଦ ଜଣାଉଛି। ସର୍ବ ପ୍ରଥମେ ମୋ ପରିବାର, ମୋର ପିଲାବେଳର କୋଚ୍‌ ତାରକ ସିହ୍ନା ସାର..ମଦନ ଶର୍ମା ସାର, ଯାହାଙ୍କ ତତ୍ତ୍ବାବଧାନରେ କ୍ରିକେଟ ଖେଳିବା ଶିଖିଥିଲି।

ଟିମ୍‌ ଇଣ୍ଡିଆରେ ଖେଳିବା ପରେ କ୍ରୀଡ଼ା ପ୍ରେମୀଙ୍କଠୁୂ ବହୁତ ଭଲ ପାଇବା ପାଇଛି। କଥାରେ ଅଛି କାହାଣୀରେ ଆଗକୁ ବଢ଼ିବାକୁ ହେଲେ ପୃଷ୍ଠା ଓଲଟେଇବା ଜରୁରୀ। ବାସ୍‌ ମୁଁ ସେୟା କରିବାକୁ ଯାଉଚି। ମୋ କ୍ରିକେଟ ଯାତ୍ରାର ଅଧ୍ୟାୟକୁ ସମାପ୍ତ କରୁଛି। ମୁଁ ବିଦାୟ ସହିକ ଅନେକ ଅଭୁଲା ସ୍ମୃତି, ଭଲ ପାଇବା ନେଇ ଯାଉଚି। ଆପଣଙ୍କ ଭଲ ପାଇବା ଓ ସର୍ମଥନ ପାଇଁ ଧନ୍ୟବାଦ! ଜୟ ହିନ୍ଦ…

ଶିଖର ଧଓ୍ବନଙ୍କ ଅନ୍ତର୍ଜାତୀୟ ଯାତ୍ରା:
ଶିଖର ଧଓ୍ୱନ୍‌ ନିଜ କ୍ୟାରିୟର୍‌ରେ ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୪୦ ଆଭରେଜରେ ୨ ହଜାର ୩୧୫ରନ ସଂଗ୍ରହ କରିଥିଲେ।

ସେହପରି ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ଧୱନ ୧୬୭ ମ୍ୟାଚରୁ ୬ ହଜାର ୯୯୩ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ସାମିଲ ରହିଛି। ନିଜ କ୍ୟାରିୟରରେ ସେ ୬୮ ଟି-ଟ୍ୱେଣ୍ଟି ଖେଳି ୧୭୫୯ ରନ ସଂଗ୍ରହ କରିଛନ୍ତି। ୨୦୧୩ ଚାମ୍ପିଅନସ ଟ୍ରିଫିରେ ଭଲ ପ୍ରଦର୍ଶନ କରିଥିଲେ ଶିଖର ଧୱନ।

Leave A Reply

Your email address will not be published.