ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକୁ ବିତିଲାଣି ୧୬ ବର୍ଷ, କାହିଁକି ସାର୍ବଜନୀନ ହୋଇନାହିଁ ରିପୋର୍ଟ?
ଓଏଲ୍ ବ୍ୟୁରୋ: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକୁ ବିତିଲାଣି ୧୬ ବର୍ଷ। ଏଯାଏଁ ସାର୍ବଜନୀନ ହୋଇନାହିଁ ତଦନ୍ତ କମିସନ ରିପୋର୍ଟ। ଏହି ଘଟଣାର ତଦନ୍ତ ପାଇଁ ଦୁଇ ଦୁଇଟା କମିଶନ ବସିଥିଲା। ହେଲେ ଆଜିକୁ ୧୬ ବର୍ଷ ବିତିଯାଇଥିଲେ ବି ହତ୍ୟାର ରହସ୍ୟ ସାର୍ବଜନୀନ ହୋଇପାରିଲା ନାହିଁ କି କମିଶନଙ୍କ ରିପୋର୍ଟ ୨୦୧୫ ମସିହାରୁ ଦାଖଲ ହୋଇଥିଲେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ନାହିଁ। ୨୦୦୮ ସେପ୍ଟେମ୍ବର ୨୩ ତାରିଖ ଜନ୍ମାଷ୍ଟମୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ହତ୍ୟା କରାଯାଇଥିଲା। ଯାହା ସେତେବେଳେ ରାଜ୍ୟ ରାଜନୈତିକକୁ ଦୋହଲାଇ ଦେଇଥିଲା। ବାଲିଗୁଡା ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା।
ଜନ୍ମାଷ୍ଟମୀ ପାଳନ ସମୟରେ ସ୍ବାମୀଜୀଙ୍କ ସହ ଆଶ୍ରମର ୪ ଜଣ ଅନ୍ତେବାସୀ ମଧ୍ୟ ଦୁର୍ବୁତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସେତେବେଳେ ରାଜ୍ୟରେ ବିଜେଡି ଏବଂ ବିଜେପିର ମିଳିତ ସରକାର କ୍ଷମତାରେ ଥିଲା। ପ୍ରଥମେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର ତଦନ୍ତ କମିଶନ ବସାଇଥିଲେ। ତାଙ୍କ ମୃତ୍ୟୁ ପରେ ଜଷ୍ଟିସ ନାଇଡୁ ଏହାର ତଦନ୍ତ କରିଥିଲେ। ୨୦୧୫ରୁ ଜଷ୍ଟିସ ନାଇଡୁ କମିଶନ ତଦନ୍ତ ରିପୋର୍ଟ ଦାଖଲ କରିସାରିଛନ୍ତି। ହେଲେ ଏପର୍ଯ୍ୟନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ।
କ’ଣ ହୋଇଥିଲା ସେ ଦିନ:
୨୦୦୮ ମସିହା ଅଗଷ୍ଟ ୨୩ରେ ସ୍ବାମୀଜୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲ।। ସେଦିନ ଥିଲା ଜନ୍ମାଷ୍ଟମୀ। ବହୁ ଆଡମ୍ବର ସହକାରେ ଆଶ୍ରମରେ ଜନ୍ମାଷ୍ଟମୀ ପାଳନ କରାଯାଉଥିବାବେଳେ ହଠାତ୍ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆଶ୍ରମ ଭିତରକୁ ଧସେଇ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଲକ୍ଷ୍ମଣାନନ୍ଦଙ୍କୁ ଗୁଳି କରିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଆଉ କେତେ ଜଣ ଭକ୍ତ ଓ ଅନୁଗତ ବି ଆକ୍ରମଣର ଶିକାର ହୋଇଥିଲେ।
ଏହି ଘଟଣା ପରେ ପାଖାପାଖି ୨ ମାସ ଧରି ହିଂସା ଲାଗି ରହିଥିଲା। ଏଥିରେ ବହୁ ଲୋକ ମୃତାହତ ହୋଇଥିଲେ। ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ମୃତକଙ୍କ ପ୍ରତି ପରିବାରକୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ଆଉ ୩ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା। ସ୍ବାମୀଜୀଙ୍କ ହତ୍ୟା ଘଟଣାକୁ ପ୍ରଥମେ ପୁଲିସ ତଦନ୍ତ କରିଥିବାବେଳେ ତାପରେ ଏହାକୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।
କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ କୋର୍ଟ ଦଣ୍ଡ ପ୍ରଦାନ କରିଥିବା ବେଳେ ଜଣେ ଖଲାସ ହୋଇଥିଲା। ଏହି ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା, ଆଜାଦଙ୍କ ସମେତ କେତେ ଜଣଙ୍କ କେସ ବର୍ତ୍ତମାନ ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି। ତେବେ ସ୍ଵାମୀଜୀଙ୍କ ହତ୍ୟାର ସତ୍ୟାସତ୍ୟ ରହସ୍ୟରେ ରହିଯିବ ନା ରିପୋର୍ଟ ପ୍ରକାଶ ପାଇବ, ତାହା ଆଗକୁ ଦେଖିବାକୁ ବାକି ରହିଲା।