Odisha Link
Bridging the Missing Links in Odisha

ଅରୁୁଣ ଜେଟଲୀଙ୍କ ପୁଅ ରୋହନ ହୋଇପାରନ୍ତି ବିସିସିଆଇ ସମ୍ପାଦକ

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସମ୍ପାଦକ ହୋଇପାରନ୍ତି ଡିଡିସିଏର ସଭାପତି ରୋହନ ଜେଟଲୀ। ବର୍ତ୍ତମାନର ବିସିସିଆଇ ସମ୍ପାଦକ ଜୟ ଶାହ ଖୁବଶୀଘ୍ର ଆଇସିସିର ଅଧ୍ୟକ୍ଷ ହୋଇପାରନ୍ତି। ଜୟ ଶାହ ଏହି ପଦ ସମ୍ଭାଳିବେ ବୋଲି ଏକାଧିକ ରିପୋର୍ଟ ପ୍ରକାଶ ପାଇଛି। ଜୟ ଶାହଙ୍କ ସ୍ଥାନ ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଜୟ ଶାହଙ୍କ ପରେ କିଏ ହେବ ବିସିସିଆଇ ସମ୍ପାଦକ। ତାର କଳ୍ପନାଜଳ୍ପନା ଆରମ୍ଭ ହୋଇଥିବା ବେଳେ ରୋହନ ଜେଟଲୀଙ୍କ ନାମ ସମ୍ପାଦକ ଦୌଡ଼ରେ ଆଗରେ ରହିଛି। ରୋହନଙ୍କ ନାମରେ ସମସ୍ତେ ସହମତି ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ବିସିସିଆଇ ସଭାପତି ରୋଜର ବିନ୍ନିଙ୍କ ସମେତ ଅନ୍ୟ ପଦାଧିକାରୀ ପୂର୍ବଭଳି କାର୍ଯ୍ୟ ଜାରି ରଖିବେ। କାରଣ ସମସ୍ତଙ୍କ କାର୍ଯ୍ୟକାଳ ଆହୁରି ୧ ବର୍ଷ ରହିଛି।

ବିସିସିଆଇର ବର୍ତ୍ତମାନ ସମ୍ପାଦକ ଜୟ ଶାହ ଇଣ୍ଟରନେଶନାଲ କ୍ରିକେଟ କାଉନସିଲର ମୁଖିଆ ହେବା ପ୍ରାୟ ନିଶ୍ଚିତ ହୋଇଛି। ଆଜି ଜୟ ଶାହ ନାମାଙ୍କନ ଭରି ପାରନ୍ତି। ଯଦି ଜୟ ଶାହ ଆଇସିସିର ନୂଆ ଅଧ୍ୟକ୍ଷ ହେବେ ତେବେ ଭାରତୀୟ କ୍ରିକେଟ ବୋର୍ଡରେ ଥିବା ପଦବୀ ଛାଡ଼ିବାକୁ ପଡ଼ିବ। ଆଇସିସିର ବର୍ତ୍ତମାନ ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ ତାରିଖରେ ଶେଷ ହେବାକୁ ଯାଉଛି।

ରୋହନ ଜେଟଲୀ ହେଉଛନ୍ତି ଦିବଙ୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କ ପୁଅ। ସେ ଏବେ ଦିଲ୍ଲୀ ଓ ଡିଷ୍ଟ୍ରିକ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି। ତେଣୁ ତାଙ୍କୁ ବିସିସିଆଇର ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ପ୍ରଥମଥର ପାଇଁ ୨୦୨୦ ମସିହାରେ ଦିଲ୍ଲୀ ଓ ଡିଷ୍ଟ୍ରିକ କ୍ରିକେଟ ଆସୋସିଏସନର ସଭାପତି ହୋଇଥିଲେ। ସେହିପରି ୨୦୨୧ ମସିହାରେ ବିକାସ ସିଂହଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ସଭାପତି ପଦରେ ରହିଥିଲେ ରୋହନ।

 

 

Leave A Reply

Your email address will not be published.